ସାଇବର ଅପରାଧକୁ ରୋକିବ ସଚେତନତା ଓ ସତର୍କତା

ରାଇକିଆ,ଏନ୍‌ଏନ୍‌ଏସ୍‌: ସଚେତନତା ଓ ସତର୍କତା ଦ୍ୱାରା ହିଁ ସାଇବର ଅପରାଧକୁ ରୋକି ହେବ । ଉକ୍ତ ବାର୍ତ୍ତାଟି ନେଇ କନ୍ଧମାଳ ଜିଲ୍ଲା ପୁଲିସ ତରଫରୁ ସାଇବର ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ପଞ୍ଚାୟତ ଅଞ୍ଚଳ ବୁଲି ସମସ୍ତ ଜନସାଧାରଣଙ୍କ ସଚେତନତା ଅଭିଯାନ ଜାରି ରଖିଛି । ସାଇବର ସୁରକ୍ଷା ରଥ ରାଇକିଆରେ ପହଞ୍ଚିବା ପରେ ଜନସାଧାରଣ ଓ ଛାତ୍ରଛାତ୍ରୀ ଚୂନପଲ୍ଲୀରେ ସ୍ୱାଗତ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ସାଇବର ସୁରକ୍ଷା ରଥକୁ ସହର ସାରା ପରିକ୍ରମା କରି ପ୍ରଥମେ ରାଇକିଆ ବସଷ୍ଟାଣ୍ଡ ଏବଂ ପରେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା । ବିଶେଷ କରି ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ସାଇବର ଭଲ୍ୟୁଣ୍ଟର ଭାବେ ଯୋଡ଼ି ହୋଇ ସଚେତନତା ବାର୍ତ୍ତା ଗାଁ ଗହଳି ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସୂଚନା ଦିଆଯାଇଥିଲା । ଡିଏସପି ହୃଷିକେଶ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାବେଳେ ସାଇବର ଥାନା ଆଇଆଇସି ତରୁଣ ତପନ ବେହେରା ଏଥିରେ ସହଯୋଗ କରୁଛନ୍ତି । ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଆୟୋଜିତ ସଭାରେ ରାଇକିଆ ବିଡିଓ ଶରତ ଚନ୍ଦ୍ର ପାତ୍ର , ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ, ରାଇକିଆ ଥାନା ଏସଆଇ ଅଶୋକ ତ୍ରିପାଠୀ, ମହାବିଦ୍ୟାଳୟ ସଭାପତି ରାଜମୋହନ ଦିଗାଳ ଓ ବଣିିକ ସଂଘ ସଭାପତି ପଦ୍ମ ପଣ୍ଡା ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ ।