‘ମାଷ୍ଟର୍‌ ସେଫ୍‌ ସିଜନ-୬’ରେ ଅବିନାଶଙ୍କ ଚିକେନ୍‌ ବେସର, ବିଚାରକ କହିଲେ ‘ଜୟ ହୋ ଓଡ଼ିଶା’

ବ୍ରହ୍ମପୁର/ଆସିକା,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ କାଳଷଣ୍ଢପୁର ଗ୍ରାମର ଅବିନାଶ ନାୟକ ଜାତୀୟ ଟେଲିଭିଜନ୍‌ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ପ୍ରସାରିତ ହେଉଥିବା ‘ମାଷ୍ଟର୍‌ ସେଫ୍’ ସିଜନ୍‌-୬ ପ୍ରତିଯୋଗୀତାରେ ଭାଗ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଅବିନାଶ ଅନେକ ରୋଷେଇ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ଏବେ ମାଷ୍ଟର ସେଫ୍‌ ସିଜନ୍‌-୬ର ଅଡିସନ୍‌ ରାଉଣ୍ଡକୁ ମନୋନୀତ ହୋଇଛନ୍ତି।

ସେ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂରେ ପଢ଼ା ସାରି ସେ ହାଇଦ୍ରବାଦ୍‌ ଇନ୍‌ଫୋସିସ୍‌ରେ ଚାକିରି କରୁଛନ୍ତି। ଅବିନାଶ ମାଷ୍ଟର ‌ସେଫ୍‌-୬ ସୋ’ରେ ଭାଗ ନେଇ ଚିକେନ୍‌‌ ବେସର ଚଖାଇ ଉପସ୍ଥିତ ୩ ଜଣ ବିଚାରକ ବିକାଶ ଖାନ୍ନା, ରଣବୀର ବରାର ଏବଂ ଭିନିତ୍‌ ଭାଟିଆଙ୍କୁ ଚକିତ କରି ଦେଇଛନ୍ତି। ସୋରିଷ ବେସର ଦେଇ ଚିକେନ୍‌ ରୋଷେଇ କରି ସେ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡ୍‌କୁ ମନୋନୀତ ହୋଇଥିଲେ। ପାରମ୍ପରିକ ରାନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ଡିସ୍‌ ଚାଖି ମାଷ୍ଟର୍‌ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’।