ଭୁବନେଶ୍ୱର,ଏନ୍ଏନ୍ଏସ୍: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନକାରୀମାନେ ପ୍ରକୃତରେ ଲାଇସେନ୍ସ ପାଇବା ଲାଗି ଯୋଗ୍ୟ କି ନୁହେଁ ତାହା ଏବେ କମ୍ପ୍ୟୁଟର ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ସେଥିପାଇଁ ରାଜ୍ୟର ୧୮ଟି ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ ହେବାକୁ ଯାଉଛି ଏହି ଅଭିନବ ଯୋଜନା। ସମ୍ପୃକ୍ତ ୧୮ଟି ଜିଲ୍ଲାରେ ସ୍ୱୟଂକ୍ରିୟ ହେବ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍। ଚାଳକ ସେହି ଟ୍ରାକରେ ଗାଡ଼ି ଚଳାଇବା ସହ ବିଭିନ୍ନ ସିଗନାଲ ଏବଂ ଆଇକ୍ୟୁର ଟେଷ୍ଟ ମଧ୍ୟ ଦେବ। ଫଳରେ ଚାଳକ ଟେଷ୍ଟରେ ପାସ୍ ହୋଇଛି କି ଫେଲ୍ ହୋଇଛି ତାହା ସେହି ଗ୍ରାଉଣ୍ଡରେ ଲଗାଯାଇଥିବା କମ୍ପ୍ୟୁଟର ନିର୍ଦ୍ଧାରଣ କରିବ। ଏ ନେଇ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ବିଭାଗର ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସଡ଼କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ସେହପରି ସମସ୍ତ ଗାଡ଼ିର ପ୍ରତ୍ୟେକ କାଗଜପତ୍ର ଠିକ୍ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାସହିତ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଜୋରିମାନା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ବିଶେଷକରି ଗାଡ଼ି ଚାଳକଙ୍କ ଲାଗି ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତାମୂଳକ କରାଯାଇଥିବାବେଳେ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବା ଚାଳକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ତେବେ ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ପୂର୍ବରୁ ଆବେଦନକାରୀଙ୍କର ଗାଡ଼ି ଚାଳନା ଦକ୍ଷତା ଟେଷ୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ସଡ଼କରେ ଟ୍ରାଫିକ ନିୟମ ଏବଂ ବିଭିନ୍ନ ଟ୍ରାଫିକ ସମ୍ପର୍କିତ ଚିହ୍ନ ସମ୍ପର୍କରେ କେତେଦୂର ପାରଙ୍ଗମ ତାହାର ଟେଷ୍ଟ କରାଯାଇଥାଏ। ମାତ୍ର ଏହି ଲାଇସେନ୍ସ ପ୍ରଦାନ ପୂର୍ବରୁ ଯେଉଁ ଟେଷ୍ଟ ହେଉଛି ସେଥିରେ ଅଧିକ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଆଉଏକ ପାଦ ଅଭିନବ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।