ମାନ୍ଦାବସ୍ଥାରେ ଅଟୋମୋବାଇଲ ଶିଳ୍ପ କ୍ଷେତ୍ର

ନୂଆଦିଲ୍ଲୀ,ଏଜେନ୍ସି: ସେପ୍ଟେମ୍ବର ମାସରେ ଗାଡ଼ି ବିକ୍ରି କମିଥିବାବେଳେ ଏହାର ପ୍ରଭାବ ଅଟୋମୋବାଇଲର ଶିଳ୍ପ କ୍ଷେତ୍ର ଉପରେ ପଡ଼ିଛି। ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ନିର୍ମାତା ସୋସାଇଟି ପକ୍ଷରୁ ଶୁକ୍ରବାର ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଚଳିତ ବର୍ଷ ଯାତ୍ରୀବାହୀ ଗାଡି ବିକ୍ରି ୨୩.୬୯% ହ୍ରାସ ପାଇଛି ।
ଗତବର୍ଷ ଏହି ମାସରେ ୨,୯୨,୬୬୦ ୟୁନିଟ ଗାଡି ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ୨,୨୩,୩୧୭ ୟୁନିଟ ବିକ୍ରି ହୋଇଛି ।

ସେହିପରି କାର ବିକ୍ରି ମଧ୍ୟ ୩୩.୪% ହ୍ରାସ ପାଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ୧,୯୭,୨୨୪ ୟୁନିଟ୍ କାର ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ୧,୩୧,୨୮୧ ୟୁନିଟ୍ କାର ବିକ୍ରି ହୋଇଛି ।

ମୋଟରସାଇକେଲ ବିକ୍ରି ମଧ୍ୟ ୨୩.୨୯% ହ୍ରାସ ପାଇଛି । ୨୦୧୮ ସେପ୍ଟେମ୍ବର ମାସରେ ୧୩,୬୦,୪୧୫ୟୁନିଟ୍ ବାଇକ୍ ବିକ୍ରି ହୋଇଥିବାବେଳେ ଏବର୍ଷ ୧୦,୪୩,୬୨୪ ୟୁନିଟ୍ ବାଇକ ବିକ୍ରି ହୋଇଛି । ବର୍ଷକ ଭିତରେ ମୋଟରେ ବାଇକ୍ ବିକ୍ରି ୨୨.୦୯% ହ୍ରାସ ପାଇଛି । ଯାହା ପାଖାପାଖି ୬ ଲକ୍ଷ ୟୁନିଟ୍ ହେବ । ସେହିପରି ବାଣିଜିକ ଗାଡିର ବିକ୍ରି ମଧ୍ୟ ୩୯.୦୬% ହ୍ରାସ ପାଇଛି । ଲଗାତାର ଭାବରେ ୧୧ତମ ମାସ ପାଇଁ ଗାଡି ବିକ୍ରି ହ୍ରାସ ପାଇଛି ।