ଅଟୋକୁ ଧକ୍କା ଦେଲା ବସ୍, ଜଣେ ମହିଳା ମୃତ ଓ ୬ଜଣ ଗୁରୁତର

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟରାସ୍ତା ଆମ୍ବଗଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ତେବେ ଏକ ଅଟୋକୁ ଘରୋଇ ବସ୍ ଧକ୍କା ଦେବାରେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକ ଜଣଙ୍କ ହେଲେ ଗୁଣସାଗର ଗାଁ’ର ରଞ୍ଜିତା ଦଳାଇ। ସେହିପରି ଏହି ଦୁର୍ଘଟଣାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ୭ବର୍ଷର ଶିଶୁକୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ମୃତକ ଓ ଆହତ ଉଭୟ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନେ ଆମ୍ବଗଡ଼ ନିକଟସ୍ଥ ଏକ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ସ୍ୱପ୍ନ ସାଗର ନାମକ ଏକ ଘରୋଇ ବସ୍ ଅଟୋକୁ ଧକ୍କା ଦେଇଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବସକୁ ଜବତ କରିଛି।