ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ବେଙ୍ଗାଲୁରୁ: ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ଦ୍ୱିପାକ୍ଷିକ ଦିନିକିଆ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍ ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ଖେଳାଯାଉଛି। ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଭାରତ ଘରୋଇ ପଡିଆରେ ଏକ ବର୍ଷ ତଳର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ଦଳରେ ରିଚାର୍ଡସନଙ୍କ ସ୍ଥାନରେ ହାଜେଲଉଡ୍ ଖେଳିବେ। ଭାରତୀୟ ଦଳ ଟିମ୍ ଅପରିବର୍ତ୍ତିତ ରହିଛି।

ଚଳିତ ସିରିଜର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ ୱାଙ୍ଖଡେ ଷ୍ଟାଡ଼ିୟମରେ ୧୦ ୱିକେଟ୍ରେ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଭାରତ ରାଜକୋଟରେ ୩୬ ରନ୍ରେ ଜିତି ସିରିଜ ବରାବର କରିଥିଲା। ପ୍ରଥମ ମ୍ୟାଚ୍ରେ ଅଷ୍ଟ୍ରେଲୀୟ ଖେଳାଳି ଉଭୟ ବ୍ୟାଟିଂ ଓ ବୋଲିଂରେ ସଫଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଦ୍ୱିତୀୟ ମ୍ୟାଚ୍ରେ ଏହା ବଦଳି ଯାଇଥିଲା। ଭାରତୀୟ ବୋଲର ପ୍ରଥମ ମ୍ୟାଚ୍ରେ ଗୋଟିଏ ବି ୱିକେଟ୍ ନେବାକୁ ସକ୍ଷମ ହୋଇନଥିବା ବେଳେ ରାଜକୋଟରେ ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିଥିଲେ।

ବେଙ୍ଗାଲୁରୁ ମ୍ୟାଚ୍ ନିର୍ଣ୍ଣାୟକ ହୋଇଥିବାରୁ ଏହି ମ୍ୟାଚ୍ରେ ଉଭୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ସିରିଜ ଜିତିବାକୁ ଚେଷ୍ଟା କରିବେ। ଚିନ୍ନାସ୍ୱାମୀର ପ୍ଲାଟ୍ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ। କିନ୍ତୁ ଭାରତୀୟ ଷ୍ଟାଡ଼ିମୟଗୁଡ଼ିକ ମଧ୍ୟରେ ଏଠାକାର ଜଳବାୟୁ ସୁଇଙ୍ଗ ବୋଲରଙ୍କ ପାଇଁ ଫାଇଦା ଆଣିଥାଏ। ସୁଇଙ୍ଗ ବୋଲର ଓ ସ୍ପିନର ଏଠାରେ ୱିକେଟ ପାଇଥାନ୍ତି।