ଆଳି ଅଗ୍ନିଶମ ବିଭାଗ ଟେଲିଫୋନ ଅଚଳ

ଆଳି,ଏନ୍ଏନ୍ଏସ୍: ଗତ ୨୩ ଦିନ ହେବ ଅଚଳ ହୋଇପଡିଛି ଆଳି ଅଗ୍ନିଶମ ବିଭାଗର ଟେଲିଫୋନ। ବିଭାଗକୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଆଳି ଅଗ୍ନିଶମ କାର୍ଯ୍ୟାଳୟ ମୁଖ୍ୟ ବିଭୂତି ଭୂଷଣ ନାୟକ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଜରୁରୀକାଳୀନ ସେବା ନିମନ୍ତେ ଥିବା ଆଳି ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ଟେଲିଫୋନ ନମ୍ବରଟି ବାତ୍ୟା ୟାସ୍ ପ୍ରଭାବରେ ଗତ ମେ’ ମାସ ୨୬ ତାରିଖରୁ ଅଚଳ ହୋଇପଡିଛି।

ଟେଲିଫୋନ ଅଚଳ ହୋଇପଡିବା ଯୋଗୁଁ ସାଧାରଣ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସ୍ଥାନରେ ଅଘଟଣ ଘଟିଲେ ଲୋକମାନେ ଅଫିସକୁ ଆସି ଖବର ଦେଉଛନ୍ତି। ଟେଲିଫୋନ ଅଚଳ ବିଷୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଟେଲିଫୋନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ତୁରନ୍ତ ଏହି ଜରୁରୀକାଳୀନ ନମ୍ବରକୁ ସଚଳ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।