ଅସହାୟଙ୍କୁ ଦୁଇ ମହିଳା ଆଟେଣ୍ଡାଣ୍ଟଙ୍କ ନିର୍ଘାତ ମାଡ଼ର ଭିଡିଓ ଭାଇରାଲ

କଟକ,ଏନ୍ଏନ୍ଏସ୍: ମଙ୍ଗଳବାର କଟକ ବଡ ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଅସହାୟ ଯୁବକଙ୍କୁ ଦୁଇ ଜଣ ମହିଳା ଆଟେଣ୍ଡାଣ୍ଟ ନିର୍ଘାତ ପିଟିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଘଟଣା ଜାଣିବା ପରେ ଏସସିବି କର୍ତ୍ତୃପକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଆସିବାରୁ କମିଶନର ସଦସ୍ୟ ଆଡଭୋକେଟ ଅସୀମ ଅମିତାଭ ଦାଶ କଟକ ବଡ ମେଡିକାଲ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ଖବର ମିଳିଛି।

ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳା ଆଟେଣ୍ଡାଣ୍ଟ ପୂର୍ବରୁ ଟିକଟକ୍ ଭିଡିଓ ଭାଇରାଲରେ ଜଡ଼ିତ ରହି ଚାକିରିରୁ ବିଦା ହୋଇଥିଲେ ଏବଂ ପରେ ସେ ଚୁକ୍ତିଭିତ୍ତିରେ ଥଇଥାନ ହୋଇଛନ୍ତି। ଏବେ ସେ ଏହି ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।

ଭିଡିଓ ଭାଇରାଲରେ ଜଣାପଡ଼ିଛି ଯେ, ସର୍ଜରୀ ବିଭାଗର ଡେଷ୍ଟିଟ ୱାର୍ଡ (ପୁରୁଷ)ରେ ଜଣେ ଯୁବକ ଚିକିତ୍ସିତ ହେଉଛନ୍ତି। ଦୁଇ ଜଣ ମହିଳା ଆଟେଣ୍ଡାଣ୍ଟଣ୍ଟ ତାଙ୍କୁ ଦେଖାଶୁଣା କରୁଛନ୍ତି। ମଙ୍ଗଳବାର ହଠାତ୍ ଏହି ଅସହାୟ ଯୁବକ ଜଣକ ପାଟି କରିବାରୁ ଦୁଇ ଜଣ ମହିଳା ଆଟେଣ୍ଡାଣ୍ଟ ତାଙ୍କୁ ଠେଙ୍ଗା ଓ ବାଡ଼ିରେ ନିର୍ଘାତ ପିିଟିଥିଲେ। ଯେତେ କାକୁତି ମିନତି ହେଲେ ମଧ୍ୟ ଯୁବକଜଣଙ୍କୁ ଛାଡୁ ନାହାନ୍ତି ଏହି ମହିଳାଦ୍ୱୟ। ପିଟି ଚାଲିଛନ୍ତି, ହେଲେ ପ୍ରତିବାଦ କରିବା ପ।।ଇଁ ନିରାଶ୍ରୟ ରୋଗୀଙ୍କ ପାଖରେ ଅଛି ସାହସ ନା ଅଛି ଶକ୍ତି।

କିଛି ସମୟ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ଆହା ପଦେ କହିବା ତ ଦୂରର କଥା ସେଠାକୁ ଯାଇ ଅସହାୟଙ୍କୁ ସାହାଯ୍ୟ କରିବା ଦେଖିବାକୁ ମିଳିନଥିଲା। ଏପରି ଅବସ୍ଥାରେ ତାଙ୍କୁ ମାଡ଼ ମାରିଥିବା ଦୁଇ ମହିଳା ଆଟେଣ୍ଡାଣ୍ଟଙ୍କ ମଧ୍ୟରୁ ଜଣେ ମହିଳା ବେଶ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବେ ନିରାଶ୍ରୟ ରୋଗୀ ୱାର୍ଡରେ ଟିକ୍ଟକ୍ ଭିଡିଓ କରି ସେ ନିଲମ୍ବିତ ହୋଇଥିଲେ।

ହେଲେ ଏହି ମହିଳା ଆଟେଣ୍ଡାଣ୍ଟଙ୍କୁ ପୁଣି ସେହିଠାରେ କାମ ଦିଆଯିବା ମେଡିକାଲ କର୍ତ୍ତୃପକ୍ଷଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିଛି। ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୁତୀ ବିଭାଗ, ମେଡିସିନ୍, ସର୍ଜରୀ, ଅର୍ଥପେଡିକ ଓ ମେଣ୍ଟାଲ ବିଭାଗରେ ଶତାଧିକ ନିରାଶ୍ରୟ ରୋଗୀ ରହି ଚିକିତ୍ସିତ ହେଉଛନ୍ତି। ଅଥଚ ଏମାନଙ୍କ ପାଇଁ ମାତ ୧୦ ଜଣ ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଥିବାରୁ ଏହି ସମସ୍ୟା ଉପୁଜୁଥିବା ଠିକା ସଂସ୍ଥାର ସୁପରଭାଇଜର ସଫେଇ ଦେଇଛନ୍ତି।

ଅନ୍ୟପକ୍ଷରେ ହଠାତ୍ ଜଣେ ଅସହାୟଙ୍କୁ ଏଭଳି ମାଡ଼ ମରାଯିବା ଘଟଣା ସବୁଆଡେ ହଇଚଇ ସୃଷ୍ଟି କରିଛି। ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ସମ୍ପୃକ୍ତ ଦୁଇ ମହିଳା ଆଟେଣ୍ଡାଣ୍ଟ ମେଡିକାଲରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ତେବେ ଏହି ସ୍ୱେଚ୍ଛାସେବୀ ସଂସ୍ଥାକୁ ମଧ୍ୟ ଆଟେଣ୍ଡାଣ୍ଟଙ୍କ ଏପରି କାର୍ଯ୍ୟକଳାପ ସମ୍ପର୍କରେ ମଧ୍ୟ ଅବଗତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, କେଉଁ କାରଣରୁ ଅତି ଅମାନବୀୟ ଭାବେ ସମ୍ପୃକ୍ତ ଦୁଇ ଜଣ ଆଟେଣ୍ଡାଣ୍ଟ ଅସହାୟଙ୍କୁ ପିଟିଲେ ତାହାର ସରଜମିନ୍ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି।ତ୍ତ