ଆଟେଣ୍ଡାଣ୍ଟ୍ ମାଡରେ ଛାତ୍ର ଆହତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ପଲସଦା ଗ୍ରାମର ଉଦୟ ବେହେରା ହାଇସ୍କୁଲର ହୋଷ୍ଟେଲର କୁକ/ଆଟେଣ୍ଡାଣ୍ଟ୍ ମହେନ୍ଦ୍ର ଭୁଏଙ୍କ ମାଡରେ ଜଣେ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ର ଜଣକ ଦଶମ ଶ୍ରେଣୀର ସତ୍ୟଜିତ କିସାନ (୧୫) ବୋଲି ଜଣାପଡିଛି। ଖବର ପାଇ ବୁଧବାର ଚାଇଲ୍ଡ ୱେଲ ଫେୟାର କମିଟି ଅଧ୍ୟକ୍ଷା ଆନନ୍ଦିନୀ ପାଢି, ମମତା ତ୍ରୀପାଠି, ଗୁଣନିଧି ଭଏଁଷା, ଅହଲ୍ୟା ନାୟକ, ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା, ସଦସ୍ୟ ରାଧେଶ୍ୟାମ ନାୟକ ହୋଷ୍ଟେଲକୁ ପହଞ୍ଚି ଛାତ୍ର ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ସହ ଆଲୋଚନା କରିଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତିରେ ସତ୍ୟଜିତଙ୍କ ଦେହ ଖରାପ ଥିବାରୁ ସେ ହେଷ୍ଟେଲରେ ଶୋଇଥିଲେ। ସେହି ସମୟରେ ମଦ ପିଇ ଆଟେଣ୍ଡାଣ୍ଟ୍ ମହେନ୍ଦ୍ର ଭୁଏ ଆସି ସତ୍ୟଜିତକୁ ଗାଲିଗୁଲଜ କରିବା ସହ ଲୁହା ମଶାରି ବାଡିରେ ତାଙ୍କ ବାମ ହାତାରେ ମାଡ ମାରିଥିଲେ। ଫଳରେ ସତ୍ୟଜିତଙ୍କ ହାତ ଫୁଲିଯାଇଥିଲେ ହେଁ ସେ ଭୟରେ କାହାକୁ କହି ପାରି ନଥିଲେ। ସେ ସୋମବାର ଏହି ବିଷୟରେ ବିଦ୍ୟାଳୟରେ କହିଲା ପରେ ପ୍ରଧାନ ଶିକ୍ଷକ ଓ ବିଦ୍ୟାଳୟ କମିଟି ଟିଆରଏଲ କ୍ରୋସାକି ହସ୍ପିଟାଲରେ ତାଙ୍କୁ ଚିକିତ୍ସିତ କରିବାସହ କୁକୁଙ୍କୁ ନିଳମ୍ବିତ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଜିଲ୍ଲାର ଦୁଇଟି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକମାନେ ହାତ ଉଠାଇଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ମମ ଭାବରେ ହାତ ଉଠାଉ ଥିବା ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାଇଲ୍ଡ ଲାଇନ ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି।