ଟିଟିଲାଗଡ଼,ଏନ୍ଏନ୍ଏସ୍: ଟିଟିଲାଗଡ଼ ତହସିଲ ଅନ୍ତର୍ଗତ ତୁରୁକଭଟା ଗ୍ରାମରେ ୨୮.୨୯ ଏକର ଗୋଚର ଜମି ଉପରେ ଭୂମି ମାଫିଆଙ୍କ ନଜର ପଡ଼ିଛି । ଏନେଇ ବହୁ ଦିନରୁ ସ୍ଥାନୀୟ ଗ୍ରାମବାସୀ ଟିଟିଲାଗଡ଼ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ ଅଣଶୁଣା ହେବା ସନ୍ଦେହ ସୃଷ୍ଟି କରିଛି । ଏନେଇ ଗତ ସେପ୍ଟେମ୍ବର ୨୬ରେ ଗ୍ରାମବାସୀ ତହସିଲଦାର ପ୍ରେମଲାଲ ହିଆଲଙ୍କୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ତହସିଲଦାର ଏହାର ପ୍ରାପ୍ତି ସ୍ୱିକାର ମଧ୍ୟ ପ୍ରଦାନ କରିନଥିଲେ । ବାରମ୍ବାର ଏନେଇ ଗ୍ରାମବାସୀ ଧାଇଁବାର ମାସଟିଏ ପରେ ଅର୍ଥାତ ଅକ୍ଟୋବର ୨୮ରେ ତହସିଲଦାର ପ୍ରାପ୍ତି ସ୍ୱିକାର ଦେଇଥିଲେ । ହେଲେ ତହସିଲଦାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ଗ୍ରାମବାସୀ ଟିଟିଲାଗଡ଼ ଥାନାଧିକାରୀ ଓ ତତ୍କାଳୀନ ଉପଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ । ଗତ ଡିସେମ୍ବର ୨୬ରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଗ୍ରାମବାସୀ ଏସମ୍ବନ୍ଧରେ ଲିଖିତ ଅଭିଯୋଗ କରିବା ପରେ ତହସିଲଦାର ଶ୍ରୀ ହିଆଲଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଚଞ୍ଚଲ ରାଣା ନିର୍ଦ୍ଦେଶ ଦେଇଥିଲେ । ହେଲେ ଅଦ୍ୟାବଧି ତହସିଲଦାର ନିରବ ରହିଛନ୍ତି । ଆଜି ଗ୍ରାମବାସୀ ଏସମ୍ପର୍କରେ ପୁଣିଥରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପଜିଲ୍ଲାପାଳ ଆଜି ଛୁଟିରେ ଥିବା ନେଇ ସହାୟକ ଜିଲ୍ଲାପାଳ ଚନ୍ଦ୍ର ପ୍ରକାଶ ଦେହୁରିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତହସିଲଦାରଙ୍କ ଅନୁକମ୍ପା ଯୋଗୁ ଭୂମି ମାଫିଆ ତାଙ୍କ ଗ୍ରାମର ସରକାରୀ ଜମି ଓ ଗୋଚର ଆବୋରି ଚାଲିଥିବା ନେଇ ଗ୍ରାମର ୱାର୍ଡସଭ୍ୟ ପୁରୁଷୋତ୍ତମ ବାରିକ, ଧର୍ମପାଲ ବେହେରା, କ୍ଷୀରସିନ୍ଧୁ ଛୁରା, ହିତମନ ବେହେରା, ଗୁରୁବାରୁ ଜାନୀ, ଲଇନ୍ଦ୍ର ନିଆଲ, ରାମକୃଷ୍ଣ ନିଆଲ, ଟଙ୍କଧର ଜାନୀ, ଚଣ୍ଡିମଲ ଛୁରା, ଦେବରାଜ ବେହେରା ଓ ଶିବ ଛୁରା ପ୍ରମୁଖ ଅଭିଯୋଗ କରିଛନ୍ତି । ଅନ୍ୟପଟେ ସରକାରଙ୍କ ପକ୍ଷରୁ ତହସିଲଦାର ଶ୍ରୀ ହିଆଲଙ୍କ ବଦଳିି ଆଦେଶ ଜାରି ହୋଇଛି ।