ମନ୍ଦିରରେ ଆଙ୍କିବାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବଚସା : ଘଟଣାସ୍ଥଳରେ ପୁଲିସ ମୁତୟନ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଗୋରେଇଗୁଡ଼ାଠାରେ ଏକ ନୂତନ ଭାବେ ନିର୍ମିତ ମା ମାଉଲି ମନ୍ଦିରରେ ହୁଣ୍ଡି ଶୀତଳା ଯାତ୍ରା ପୂର୍ବରୁ ଏକ ନିର୍ଦ୍ଦଷ୍ଟ ସମ୍ପଦ୍ରାୟର ଜଣେ ବ୍ୟକ୍ତି ମନ୍ଦିର କାନ୍ଥରେ ସାଙ୍କେତିକ ଚିହ୍ନ ଆଙ୍କିବାରୁ ୨ ସମ୍ପ୍ରଦାୟ ମଧ୍ୟରେ ବଚସା ହୋଇଛି। ଫଳରେ କିଛି ସମୟ ଧରି ଉତେଜନା ଜାରୀ ରହିଛି। ଗୌଡ଼ଗୁଡ଼ା ଓ ଗୋରେଇଗୁଡ଼ା ଗ୍ରାମରେ ୨ ଟି ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଉଭୟ ସମ୍ପ୍ରଦାୟ ମନ୍ଦିର ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ତେବେ ସର୍ବସାଧାରଣ ପାଇଁ ନିର୍ମିତ ମନ୍ଦିରରେ କୌଣସି ଏକ ସମ୍ପ୍ରଦାୟର ସାଙ୍କେତିକ ଚିହ୍ନ୍ନ କେବଳ କାହିଁକି ରହିବ ବୋଲି ଅନ୍ୟ ଏକ ସମ୍ପ୍ରଦାୟର ଲୋକେ ପ୍ରଶ୍ନ ଉଠାଇଥିଲେ।

ତେବେ ଉଭୟ ସମ୍ପ୍ରଦାୟ ମଧ୍ୟରେ କଥା କଟାକଟି ସହ ଗୋଣ୍ଡାଗୋଳ ପରିସ୍ଥିତି ଉପୁଜିଥିଲା। ପରେ ଉଭୟ ପକ୍ଷ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା। ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ପୁଲିସ ମୁତୟନ କରାଯାଇଥିଲା। ପରେ ପୁଲିସପକ୍ଷରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କୌଣସି ପ୍ରକାର ଅଘଟଣକୁ ରୋକିବା ପାଇଁ ପୁଲିସର ଏକ ପି.ସି.ଆର ଭ୍ୟାନ ସହ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି।