ଡେଲିମାର୍କେଟରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳ ଦୈନିକ ମାର୍କେଟରେ କେତେକ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି। ଏ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଆକ୍ରମଣର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣକ ମାର୍କେଟ ମଝିରେ ପଡିଥିବାବେଳେ ପୁଲିସ ଆସି ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଛି । ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ବର୍ତ୍ତମାନ ଉଦବେଗଜନକ ରହିଛି ।

ସୂଚନା ଅନୁଯାୟୀ, ଟ୍ରିକାପଡ଼ାର ଦିଗାମ୍ବର ସାହୁ ମଦ୍ୟପାନ କରି ନିଜ ପଡ଼ା ଛକରେ ପାଟିତୁଣ୍ଡ କରୁଥିଲେ। ଏ ନେଇ ସ୍ଥାନୀୟ ଲୋକେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଥାନାକୁ ନେଇଥିଲା ଏବଂ ସନ୍ଧ୍ୟାରେ ଛାଡ଼ି ଦେଇଥିଲା। ଥାନାରୁ ଆସିବା ପରେ ଯୁବକ ଜଣଙ୍କ ଚା’ ଖାଇବା ପାଇଁ ଡେଲିମାର୍କେଟ ଯାଇଥିଲେ। ସେହି ସମୟରେ ୩ଟି ମୋଟର ସାଇକଲରେ ୫ ରୁ ୬ ଜଣ ଯୁବକ ଆସି ଦିଗାମ୍ବରଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫାର୍ସାରେ ଦିଗାମ୍ବରଙ୍କ ମୁଣ୍ଡ ଓ ଗୋଡ଼ ଉପରକୁ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।

ଆକ୍ରମଣର ଶିକାର ହୋଇଥିବା ଦିଗାମ୍ବର ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ସଚିନ ଦାସ ବୋଲି ଚିହ୍ନଟ କରିଛନ୍ତି। ସମ୍ପୃକ୍ତ ଯୁବକ ଜଣଙ୍କ ନିଜକୁ ପୁଲିସ ଇନଫର୍ମର କହି ଅଞ୍ଚଳରେ ଆତଙ୍କ ଚଳାଇଥିବା ଦିଗାମ୍ବର କହିଛନ୍ତି। ଏ ନେଇ ଉତ୍ତେଜନା ଲାଗି ରହିଛି । ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି।