ସାମ୍ବାଦିକଙ୍କୁ ଆକ୍ରମଣ, ଜଣେ ଗିରଫ

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଆହତ ଅକ୍ଷୟ ପଟ୍ଟନାୟକଙ୍କୁ କୋରାପୁଟ ଏସଏଲଏନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,ଶୁକ୍ରବାର ବିଳମ୍ବିତ ରାତିରେ କୁନ୍ଦୁରା ଛକରେ ଦୁଇଜଣ ଅସାମାଜିକ ଯୁବକ ନିଶାସକ୍ତ ଅବସ୍ଥାରେ ହାତରେ ଖଣ୍ଡା ଓ ଭୂଜାଲି ନେଇ ବୁଲୁଥିଲେ। ଅକ୍ଷୟ ସେମାନଙ୍କୁ ରାତିରେ ବୁଲିବାକୁ ମନା କରିବାରୁ ପରସ୍ପର ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ସମ୍ପୃକ୍ତ ଦୁଇ ଅସାମାଜିକ ଯୁବକ ଅକ୍ଷୟଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ଖଣ୍ଡାରେ ହାଣି ପକାଇଥିଲେ। କୁନ୍ଦୁରା ପୁଲିସ ଏକ ମାମଲା ରୁଜୁ କରି ଶଙ୍କର ପ୍ରଧାନ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି। ଭାରପ୍ରାପ୍ତ ଥାନା ଅଧିକାରୀ ଶେଶଦେବ ବେହେରା ଘଟଣାର ତଦନ୍ତ କରୁଛନ୍ତି।