ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ପୁଅ ମୃତ

ଅସ୍ତରଙ୍ଗ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାରେ ଆଜି ଏକ ରୁଗ୍ଣ ଘଟଣା ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଆଳ ସାହିରେ ବାପା ସାଧୁ ସ୍ୱାଇଁ ଏବଂ ପୁଅ ଦିଲ୍ଲୀପ ସ୍ୱାଇଁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାବେଳେ ଏଥିରେ ପୁଅର ମୃତ୍ୟୁ ହୋଇଛି। ସେହିପରି ବାପା ସାଧୁ ଗୁରୁତର ଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ ଆଜି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ଗ୍ରାମର ଭ୍ରମ ବେହେରାଙ୍କ ପୁଅ ଦେବୀ ପ୍ରସାଦ ବେହେରାଙ୍କୁ ପୁଲିସ ଉଠାଇ ନେଇ ଥାନାରେ ପଚରାଉଚରା କରୁଥିବା ଜଣାଯାଇଛି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରିରେ ଆଳ ସାହି ଭୀମାଛକ ଠାରେ ବାପା-ପୁଅ ଯାଉଥିବାବେଳେ ଏକ କାରରେ ୪ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଭୁଜାଲି ଓ ଚାପୁଡ଼ରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପୁଅ ଦିଲ୍ଲୀପଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ସାଧୁଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ର୍ରୁତାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ ହୋଇଥିବା ସାଧାରଣରେ କୁହାଯାଉଛି।

ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର ଓ ଛୁରୀ ଜବତ କରିଛି । ଏପଟେ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଭିଯୁକ୍ତଙ୍କ ଗିରଫ ଦାବି ସହ କ୍ଷତିପୁରଣ ଦାବି କରି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ଅଧିକାରୀ ଶରତ କୁମାର ନାୟକ ଉପସ୍ଥିତ ଥିବାର ସୂଚନା ରହିଛି।ଏ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି।