ଶାବଳ ଆକ୍ରମଣରେ କଂଗ୍ରେସ ମୃତ

ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ

ପୋଲସରା,ଏନ୍ଏନ୍ଏସ୍: ପୋଲସରା ଥାନା ଅନ୍ତର୍ଗତ ବଡପଙ୍କଳବାଡି ପଞ୍ଚାୟତ ଖଦାଳ ନୂଆପଲ୍ଲୀ ଦଶମଇଲି ଛକରେ ବୁଧବାର ଜଣକର ଶାବଳ ମାଡରେ ଜଣେ ଯୁବକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ଖଦାଳ ନୂଆପଲ୍ଲୀ ଗ୍ରାମର କଂଗ୍ରେସ ନାହାକ। ଏନେଇ ପୋଲସରା ଥାନାରେ ମୃତ କଂଗ୍ରେସଙ୍କ ପତ୍ନୀ ଗୋଲାପ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କ ଏତଲାକୁ ଭିତ୍ତିକରି ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ସେକେଣ୍ଡ ଅଫିସର୍ ବିଉଟି ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଶାବଳରେ ଆକ୍ରମଣ କରିଥିବା ଯୁବକ ସମ୍ପୃକ୍ତ ଗ୍ରାମର ବବ୍ରୁ ନାହାକ ଥାନାରେ ଆତ୍ମସମର୍ପକଣ କରିଛି। ଅଭିଯୁକ୍ତ ବବ୍ରୁ ହେଉଛି ବଡପଙ୍କଳବାଡି ଗ୍ରାମପଞ୍ଚାୟତର ୧୨ନମ୍ବର ୱାର୍ଡର ସଭ୍ୟ।

ସୂଚନା ଅନୁଯାୟୀ, ବୁଧବାର ପୁର୍ବାହ୍ନ ସମୟରେ ସ୍ୱାମୀ କଂଗ୍ରେସ ସେହି ଗ୍ରାମର ତୋଫାନ ନାହାକ ଓ ପବିତ୍ର ନାହାକ ସାଙ୍ଗରେ ପାଟିତୁଣ୍ଡ କରି ଗଣ୍ଡଗୋଳ ହୋଇଥିଲା। ଇତି ମଧ୍ୟରେ କଂଗ୍ରେସ ଦଶମାଇଲି ଛକକୁ କୌଣସି କାର୍ଯ୍ୟ ନେଇ ଯାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ଅବଗତ ହୋଇ ବବ୍ରୁ ସମେତ ଗ୍ରାମର ଦୁଇ ତିନିଜଣ ମିଶି ଲୁହା ଶାବଳରେ ଅତର୍କିତ ଭାବେ କଂଗ୍ରେସର ମୁଣ୍ଡକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ କଂଗ୍ରେସ ଟଳିପଡିଥିଲା। ପରିବାର ଲୋକେ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର କଂଗ୍ରେସଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲା। ପୂର୍ବରୁ ବବ୍ରୁ ଓ କଂଗ୍ରେସଙ୍କ ମଧ୍ୟରେ ଜମିଜମାକୁ ନେଇ ଶତୃତା ଲାଗି ରହିଥିବା ନେଇ ଅଭିଯୋଗକାରୀଙ୍କ ସ୍ତ୍ରୀ ଗୋଲାପ ଏତଲାରେ ଦର୍ଶାଇଛନ୍ତି। ଏଭଳି ହତ୍ୟା ଘଟଣା ପରେ ଆକ୍ରମଣକାରୀ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ କାହିଁକି ଏଭଳି ଘଟଣା ଘଟିଲା ତାହାକୁ ନେଇ ଥାନା ଅଧିକାରୀ ତଦନ୍ତ କରୁଥିବା ଜଣାପଡିଛି।