ରସୁଲପୁର ବିଡିଓ ଓ ତହସିଲଦାରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ

ଧର୍ମଶାଳା: ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ଅନୁଧ୍ୟାନ କରିବା ଓ ଲକ୍ ଡାଉନ ସମୟରେ ଚେକିଂ କରିବାକୁ ଯାଇଥିବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । କୁଆଖିଆ ଥାନା ରସୁଲପୁର ବ୍ଳକ ବଡକଇଂଚି ପଂଚାୟତ ଅନ୍ତର୍ଗତ ଗୋପିନାଥପୁର ଗାଁରେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଯାଇଥିବା ଏକ ଟିମ୍ ରସୁଲପୁର ଅଂଚଳରେ ଲକ୍ ଡାଉନର ସ୍ଥିତି ଅନୁଧ୍ୟାନ କରିଥିଲେ । ରସୁଲପୁର ବିଡିଓ ଉମାକାନ୍ତ ପରିଡା ଓ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ପ୍ରମୁଖ ଅନ୍ୟ ଅଧିକାରୀଙ୍କ ସହ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା କିଛି ବାଇକ୍ ଚାଳକ ମାକ୍ସ ଓ ହେଲମେଟ ନ ଲଗାଇ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲେ । ହେଲେ ଯୁବକମାନେ ଗୋପିନାଥପୁର ଗାଁ’ ଭିତରକୁ ଚାଲିଯାଇଥିଲେ । ସେମାନଙ୍କ ପିଛା କରି ଅଧିକାରୀମାନେ ଉକ୍ତ ଗ୍ରାମରେ ପଂହଚିବା ପରେ ଗ୍ରାମର ୩୦ ରୁ ୪୦ ଜଣ ଲୋକେ ସେମାନଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଘଟଣାସ୍ଥଳରେ ପଂହଚିବା ପରେ ତାଙ୍କୁ କେତେକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ ।

ଖବର ପାଇ ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଘଟଣାସ୍ଥଳରେ ପହଂଚି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ସହିତ ସେଠାରେ ବ୍ୟାପକ ପୁଲିସ ମୁତୟନ କରିଥିଲେ । ଏହି ଘଟଣାରେ ୩ ଜଣ ଯୁବକଙ୍କୁ ପୋଲିସ କୁଆଖିଆ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଥିଲା । ଅଟକ ଯୁବକମାନଙ୍କ ମଧ୍ୟରେ ଜଣେ ନିଜାମୁଦ୍ଦିନ୍ ଫେରନ୍ତା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କୁ କ୍ୱାରେଟାଇନରେ ରଖାଯିବ । ଆବଶ୍ୟକ ପଡିଲେ ଗୋପିନାଥପୁର ଗାଁରେ ୧୪୪ ଧାରା ଜାରି ହେବ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଏହି ଅଂଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରାଇଥିବା ଜଣାପଡିଛି । ଅବଦୁଲ ଦୟାନ ଖାଁଙ୍କ ପୁଅ ରାଜନ, ଅବଦୁଲ କଲନ ଖାଁଙ୍କ ପୁଅ ପରବେଜ ଓ ଅବଦୁଲ ସଲାମଙ୍କ ପୁଅ ସୋଫିଆନରାଜଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।