କଡା ସୁରକ୍ଷାରେ ଅତିକକୁ ଦିଆଗଲା କବର, ପତ୍ନୀ ସହିସ୍ତାର ମିଳିଲାନି ଦେଖା

ଲକ୍ଷ୍ନୌ,ଏଜେନ୍ସି: ବ୍ୟବଚ୍ଛେଦ ପରେ କଡ଼ା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟାର ଅତିକ ଓ ଭାଇ ଅଶ୍ରଫକୁ ଦିଆଯାଇଛି କବର । ହେଲେ ଏହି କବର ସମୟରେ ପତ୍ନୀର ମିଳିନଥିଲା ଦେଖା । ରବିବାର ସନ୍ଧ୍ୟା ସମୟରେ ଅତିକର ପାରିବାରିକ କବରିସ୍ଥାନରେ ଉଭୟଙ୍କୁ କବର ଦିଆଯାଇଥିଲା । ଆମ୍ବୁଲାନ୍ସ ଯୋଗେ ମାଫିଆ ଭାଇଙ୍କ ମୃତଦେହ କସାରି ମସାରି କବରିସ୍ଥାନରେ ପହଞ୍ଚିଥିଲା । ପୁଅ ପରେ ସ୍ବାମୀର ହତ୍ୟା ଘଟିଥିବା ବେଳେ ଫେରାର ପତ୍ନୀ ସହିସ୍ତା ପରବିନର ଦେଖା ମିଳିନଥିଲା ।

ବ୍ୟବଚ୍ଛେଦ ପରେ ଅତିକ ଓ ଅଶ୍ରଫର ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଉଭୟଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଶେଷକୃତ୍ୟ କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା । ପୂର୍ବତନ ସମାଜବାଦୀ ପାର୍ଟି ସାଂସଦ ତଥା ଗ୍ୟାଙ୍ଗଷ୍ଟାର ଅତିକର ହତ୍ୟା ହେବା ପରେ ପତ୍ନୀ ସହିସ୍ତା ପରବିନର ଆତ୍ମସମର୍ପଣକୁ ନେଇ ଚର୍ଚ୍ଚା ହେଉଥିଲା । ପରବିନ ଉମେଶ ପାଲ ହତ୍ୟା ଘଟଣାରେ ଅଭିଯୁକ୍ତ ତାଲିକାରେ ରହିଛି । ସେ ଏବେ ଫେରାର ରହିଛି । ହେଲେ ଅତିକର ହତ୍ୟାକାଣ୍ଡ ପରେ ସେ ଆତ୍ମସମର୍ପଣ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ପୋଲିସ ଏହି ଅନ୍ତିମ ସଂସ୍କାର ସମୟରେ କଡ଼ା ସୁରକ୍ଷା ଗ୍ରହଣ କରିଥିଲା । କବରସ୍ଥଳକୁ ବୁର୍ଖା ପିନ୍ଧି ଯାଉଥିବା ମହିଳା ଏକ ରେଜିଷ୍ଟାରରେ ନିଜ ନାମ ଲେଖିଥିଲେ । ଯେଉଁମାନଙ୍କ ନାମ ତାଲିକାରେ ଥିଲା ସେମାନଙ୍କୁ କବରିସ୍ଥାନ ଭିତରକୁ ଯିବା ଲାଗି ଅନୁମତି ମିଳିଥିଲା । ଏହି ସମୟରେ ଅତିକର ପତ୍ନୀ ପରବିନ ଉପସ୍ଥିତ ନଥିବା ଜଣାପଡ଼ିଛି । ଉକ୍ତ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ବହୁ ସଂଖ୍ୟାରେ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । କବର ଦିଆଯାଉଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଛଡାଯାଇନଥିଲା ।