ପ୍ରତିଶ୍ରୁତି ପରେ ରେଳ ଆନ୍ଦୋଳନରୁ ଓହରିଲେ ବେଲପାହାଡ଼ ଲଖନପୁର ରେଳ ୟୁଜର ଫୋରମ

ଝାରସୁଗୁଡ଼ା,ଏନ୍‌ଏନ୍‌ଏସ୍‌: ବେଲପାହାଡ଼ ଲଖନପୁର ରେଳ ୟୁଜର ଫୋରମ ରେଳ ଆନ୍ଦୋଳନରୁ ଓହରିଯାଇଛି । ବେଲପାହାଡ଼ ରେଳ ଷ୍ଟେସନରେ ୪ଟି ଟ୍ରେନର ରହଣୀର ଅନୁମତି ଦେବା ସହ ଆଉ ୩ଟି ଟ୍ରେନର ରହଣୀ ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଆନ୍ଦୋଳନରୁ ଓହରିଥିବା ଜଣାପଡ଼ିଛି । ବେଲପାହାଡ଼ ରେଳ ଷ୍ଟେସନରେ ଆଜି ସକାଳ ୭ଟାରୁ ରେଳରୋକ ଆନ୍ଦୋଳନ କରିବା ପାଇଁ ରେଳ ନିଷ୍ପତ୍ତି ନିଆଯାଇଥିଲା । ତେବେ ଗତକାଲି ରାତିରେ ରେଳବାଇ ପକ୍ଷରୁ ବେଲପାହାଡ଼ ରେଳ ଷ୍ଟେସନରେ ୪ଟି ଟ୍ରେନର ରହଣି ପାଇଁ ଅନୁମତି ଦିଆଯାଇଥିଲା । ପରେ ଆଜି ସକାଳୁ ଆରମ୍ଭ ହେବାକୁ ଥିବା ରେଳରୋକ ଆନ୍ଦୋଳନକୁ କୋହଳ କରାଯାଇ ଷ୍ଟେସନ ପରିସରରେ ଶାନ୍ତିପୂର୍ଣ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ ବେଲପାହାଡ଼ ଲଖନପୁର ତଥା ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଯୋଗ ଦେଇଥିଲେ । ତେବେ ବିଳାସପୁର ରେଳ ଡିଭିଜନ ପକ୍ଷରୁ ଏସିଏମ୍ ରାକେଶ ସିଂ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଅନ୍ଦୋଳନକାରୀଙ୍କ ସମସ୍ତ ଦାବୀ ପୂରଣ କରିବାର ପ୍ରତିଶ୍ରୁତି ଦେବାପରେ ଆଜି ଅପରାହ୍ନରେ ଆନ୍ଦୋଳନକାରୀ ଆନ୍ଦୋଳନରୁ ଓହରିଥିଲେ । ଏହି ଆନ୍ଦୋଳନକୁ ବନ୍ଦ ନୁହେଁ ସ୍ଥଗିତ ରଖାଯାଇଛି । ଯଦି ରେଳବାଇ କର୍ତ୍ତୃପକ୍ଷ ନିଜ ଦାବୀ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବେଲପାହାଡ଼ ଲଖନପୁର ରେଳ ୟୁଜର ଫୋରମ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଆଜିର ଆନ୍ଦୋଳନକୁ ସମର୍ଥନ ଜଣାଇ ବେଲପାହାଡ଼ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବାବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ଦେଖା ନହେବ ସେଥିପାଇଁ ରେଳ ଷ୍ଟେସନ ପରିସରରେ ଧାରା ୧୪୪ ଲଗାଯିବା ସହ ରେଲୱେ ପୁଲିସ ଏବଂ ଓଡ଼ିଶା ପୁଲିସ ମୁତୟନ ଥିଲେ ।