ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନର ଜିଆରତ ଘର ପାର୍ବତ୍ୟ ଅଞ୍ଚଳରେ ଥିବା ଏକ ଶଙ୍ଖମର୍ମର ପଥର (ମାର୍ବଲ) ଖାଦାନ ଭୁଶୁଡ଼ି ପରିବାରୁ ଅନ୍ୟୁନ ୨୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆହୁରି ଅନେକ ଖାଦାନ ଭିତରେ ଫସି ରହିଛନ୍ତି। ଉତ୍କୃଷ୍ଟ ଶଙ୍ଖମର୍ମର ପଥର ପାଇଁ ପ୍ରସିଦ୍ଧ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଏହି ସୁଦୂର ଖାଦାନର ୬ଟି ୟୁନିଟ୍ ସୋମବାର ରାତିରେ ଭୁଶୁଡ଼ି ପଡିଥିଲା। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଏହି ଖାଦାନରେ ଭୁଶୁଡିବା ଘଟଣାରେ ଅନ୍ୟୁନ ୨୨ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି। ମଙ୍ଗଳବାର ପର୍ଯ୍ୟନ୍ତ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା।
ଉଦ୍ଧାର ଉଦ୍ୟମରେ ସହଯୋଗ କରିବାକୁ ଅନେକ ଓଜନଦାର ମେସିନ୍ ଖାଦାନ ଅଞ୍ଚଳକୁ ନିଆଯାଇଥିଲା। ଖାଦାନ ଭୁଶୁଡିବା ଯୋଗୁଁ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ପ୍ରକାଣ୍ଡ ପଥର ଖଣ୍ଡ ସବୁ ଅଜାଡି ହୋଇ ପଡିଥିଲା। ‘ଜିଓ ନିଉଜ୍’ ରିପୋର୍ଟ ଅନୁସାରେ, ସୋମବାର ରାତିରେ ଖଣି ଭୁଶୁଡି ପଡିବା ବେଳେ ସଙ୍ଗେ ସଙ୍ଗେ ୧୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ଆହତ ହୋଇଥିବା ବାକି ୧୦ ଜଣଙ୍କର ଜିଲ୍ଲା ମହମଦ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ମହମ୍ମଦ ଜିଲ୍ଲା ପୁଲିସ ଅଧିକାରୀ ମହମଦ ତାରିକ ହବିବ୍ ଗଣମାଧ୍ୟମକୁ କହିଛନ୍ତି, ଭୁଶୁଡ଼ା ଭଗ୍ନାଂଶ ତଳେ ଏବେ ମଧ୍ୟ ବହୁ ଶ୍ରମିକ ପୋତି ହୋଇ ରହିଛନ୍ତି। ସୋମବାର ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜି ଥିଲା। ଡେପୁଟି ପୁଲିସ କମିଶନର ଇଫତିଖର ଆଲାମ୍ କହିଛନ୍ତି, ମୃତ୍ୟୁସଂଖ୍ୟା ଆହୁରି ବଢିପାରେ।