ଆଇସିସି ଟେଷ୍ଟ ରାଙ୍କିଙ୍ଗ୍ ଜାରି, ଟପ୍ ଅଲରାଉଣ୍ଡର ମଧ୍ୟରେ ଅଶ୍ୱିନ

ଦୁବାଇ,ଏଜେନ୍ସି: ଆଇସିସି ପକ୍ଷରୁ ଜାରି ହେଲା ଟେଷ୍ଟ ଖେଳାଳିଙ୍କ ରାଙ୍କିଙ୍ଗ୍। ଏହି ତାଲିକାରେ ଭାରତୀୟ ଓପନର ରୋହିତ ଶର୍ମା, ସ୍ପିନର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ଋଷଭ ପନ୍ତଙ୍କୁ ଫାଇଦା ମିଳିଛି। ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ୯ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି ରୋହିତ ଶର୍ମା। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ୧୬୧ ଇନିଂସ ପରେ ସେ ବ୍ୟାଟ୍ସମ୍ୟାନ ତାଲିକାରେ ଉପରକୁ ଉଠିଛନ୍ତି।

ସେହିଭଳି ବିଶ୍ୱର ଶ୍ରେଷ୍ଠ ୫ ଜଣ ଟେଷ୍ଟ ଅଲରାଉଣ୍ଡର ତାଲିକାରେ ସାମିଲ ହୋଇଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ଆହତ ଜନିତ ସମସ୍ୟା ଯୋଗୁଁ ସେ ଟିମରୁ ବାହାରେ ରହିଛନ୍ତି। ସେହିଭଳି ଆଇସିସି ଟେଷ୍ଟ ମ୍ୟାଚ ବ୍ୟାଟ୍ସମ୍ୟାନ ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି ଋଷଭ ପନ୍ତ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ଟେଷ୍ଟ ତାଲିକାରେ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ତଳକୁ ଖସି ଅଷ୍ଟମ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସମ୍ୟାନ ତାଲିକାର ଟପରେ ରହିଛନ୍ତି ନ୍ୟୁଜିଲାଣ୍ଡର କେନ ୱିଲୟମସନ। ଟେଷ୍ଟ ବୋଲର ତାଲିକାରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଯଶପ୍ରୀତ ବୁମରା। ବୋଲର ତାଲିକା ଟପରେ ରହିଛନ୍ତି ଅଷ୍ଟ୍ରେଲିଆର ପାଟ କମିନ୍ସ।