ମେ’୩ରୁ ୫ ପର୍ଯ୍ୟନ୍ତ ଅଷ୍ଟମ ଭୀମପାହାଡ଼ ମହୋତ୍ସବ, ଲୋଗୋ ଉନ୍ମୋଚିତ

ବଲାଙ୍ଗିର,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରି ପର୍ଯ୍ୟଟନସ୍ଥଳୀରେ ଆସନ୍ତା ମେ’ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଭୀମପାହାଡ଼ ମହୋତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ଭୀମପାହାଡ଼ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ବିଳନୀରେ ମହୋତ୍ସବର ଲୋଗୋକୁ ଉନ୍ମୋଚନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ଓ ସମ୍ମାନିତ ଅତିଥିଭାବେ ସଂସ୍କୃତି ଗବେଷକ ଡ.ଗୁରୁଶ୍ରୀ ଘାସିରାମ ମିଶ୍ର ଓ ଜଗଦାନନ୍ଦ ଛୁରିଆ ଯୋଗଦେଇ ଏହି ଲୋଗୋକୁ ଉନ୍ମୋଚନ କରିଥିଲେ । ଆସନ୍ତା ୨ ତାରିଖରେ ମହୋତ୍ସବ ପାଇଁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ଭୀମପାହାଡ଼ର ଐତିହାସିକ ପୃଷ୍ଠଭୂମି ଉପରେ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଅତିଥି ଭାବରେ ରାଜନେତା ତଥା ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ । ଏଥିସହିତ ରାଜ୍ୟ ତଥା ବାହାରୁ ସାଂସ୍କୃତିକ ଦଳଗୁଡ଼ିକ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ଉପଦେଷ୍ଟା ଲକ୍ଷ୍ମଣ କୁମାର ମେହେର ସୂଚନା ଦେଇଛନ୍ତି । ଏହି ବୈଠକରେ ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ସମିତି ସଭ୍ୟ ଅଭିମନ୍ୟୁ ମାଝୀ ଓ ଦେଓଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।