ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା

ଦ୍ୱିତୀୟ ଦିନରେ ବି ଗୃହ ଅଚଳ

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ନାରୀ ନିର୍ଯାତନାକୁ ନେଇ ଗୁରୁବାର ବି ଗୃହ ଅଚଳ ହୋଇପଡ଼ିଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ କଂଗ୍ରେସର ବିଧାୟକମାନେ ଗୃହରେ ବିରୋଧ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବିଜେପି ବିଧାୟକମାନେ ପ୍ଲାକାର୍ଡ ଦେଖାଇ ନାରାବାଜି ଜାରି ରଖିଥିଲେ। ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ବିରୋଧୀ ହୋହାଲ୍ଲା ଓ ନାରାବାଜି କରିବା କରିବା ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ନାରୀ ସୁରକ୍ଷା କଥା ଉଠାଇ ଗୃହର ମଧ୍ୟ ଭାଗରେ ହୋହାଲ୍ଲା,ନାରାବାଜି କରିଛନ୍ତି କଂଗ୍ରେସ ବିଧାୟକ। ପ୍ରଶ୍ନକାଳ ବାତିଲ କରି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଦାବିକରି କଂଗ୍ରେସ ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ। ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ପ୍ରଥମେ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବାଚସ୍ପତି ଡାକିଥିଲେ।

ହେଲେ ବିଜେପି ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗରେ ନାରାବାଜି କରିଥିଲେ। ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ, ଯାଜପୁର ଏସ୍ପିଙ୍କ ବହିଷ୍କାର, ବେଆଇନ ଘରର ପୃଷ୍ଟପୋଷକ କିଏ, ରଙ୍ଗଶାଳାରୁ ସିସିଟିଭି କୁଆଡ଼େ ଗଲା ବୋଲି ବିଜେପି ସଦସ୍ୟମାନେ ପ୍ରଶ୍ନ କରିଥିଲେ। ଫଳରେ ପୁଣିଥରେ ବାଚସ୍ପତି ଗୃହକୁ ୧୨ଟା ୩୯ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ପରେ ବିଜେପି ସଦସ୍ୟଙ୍କ ନାରାବାଜି ମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ସେହିଭଳି ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବିଜେପି ବିଧାୟକମାନେ ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଅଡ଼ିବସିଥିଲେ। ଫଳରେ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।