ଉଠିଲା ଧାନର ଅଭାବୀ ବିକ୍ରି ଓ ନାରୀ ନିର୍ଯାତନା ପ୍ରସଙ୍ଗ: ଏକାଠି ଗର୍ଜିଲେ ବିରୋଧୀ, ଗୃହ ଅଚଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୋକନ୍ ବ୍ୟବସ୍ଥା ଉଚ୍ଛେଦ, ଧାନର ଅଭାବୀ ବିକ୍ର ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ପ୍ରତିବାଦ କରି ବିରୋଧୀ ଗୃହରେ ହୋହାଲ୍ଲା କରିଛନ୍ତି। ବିରୋଧୀ ଦଳ ବିଜେପି, କଂଗ୍ରେସ ଓ ସିପିଏମର ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ବିଧାନସଭାରେ ପ୍ରଶ୍ନକାଳ କିମ୍ବା ଶୂନ୍ୟକାଳ ଚାଲିପାରିନାହିଁ। ସେପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ବିଫଳ ହୋଇଛି।

ଗୁରୁବାର ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଦଳର ସଦସ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା ଓ ଡି ରାଜନ୍ ଏକ୍କା ପ୍ରମୁଖ ଗୃହ ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହିତ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଉଠିବାକୁ ଉଦ୍ୟମ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତିି ସୂର୍ଯ୍ୟନାରାୟଣ ପାତ୍ର ବିଜେଡି ସଦସ୍ୟ ପ୍ରଫୁଲ୍ଲ ସାମଲ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଡାକିଥିଲେ। ମନ୍ତ୍ରୀଙ୍କ ଉତ୍ତର ହଟ୍ଟଗୋଳ ମଧ୍ୟରେ ଶୁଣାଯାଉନଥିଲା। ଫଳରେ ଗୃହ ମାତ୍ର ଏକ ମିନିଟ ଚାଲିବା ପରେ ବାଚସ୍ପତିି ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ସେହିପରି ଶୂନ୍ୟକାଳରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି, କଂଗ୍ରେସ ଓ ସିପିଆଇଏମ୍ର ସଦସ୍ୟମାନେ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇ ଗୃହର ମଧ୍ୟରେ ଆସି ହଟ୍ଟଗୋଳ କରିଥିଲେ। ବିଜେପି ସଦସ୍ୟ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ମୋହନ ମାଝୀ, ଭୂଦାନ ମୁର୍ମୁ, ମୁକେଶ ମହାଲିଙ୍ଗ, ଭାସ୍କର ମଢ଼େଇ, ଶଙ୍କର ଓରାମ୍ ଓ ସିପିଆଇଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଗୃହ ମଧ୍ୟଭାଗରେ ଆସ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୩୦ମିନିଟ ପର୍ଯ୍ୟନ୍ତ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ।

ଏହାପରେ ପୁଣି ୧୨.୩୦ରୁ ୧୦ ମିନିଟ ପାଇଁ ଗୃହ ମୁଲତବୀ ହୋଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ସମୟରେ ବିରୋଧୀ ସଦସ୍ୟମାନେ ସମାନ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିବାରୁ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

ସେପଟେ ବାରମ୍ବାର ଗୃହ ମୁଲତବି ପ୍ରସଙ୍ଗରେ ଗୃହ ବାହାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ବିରୋଧୀ ଦଳ ପ୍ରଶ୍ନକାଳରେ ଉଠାଉଥିବା ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖୁନାହାନ୍ତି, କି ସର୍ବଦୀଳୟ ବୈଠକରେ ବିଭାଗୀୟ ସଚିବଙ୍କୁ ଡାକି ବିରୋଧୀଙ୍କ ଦାବି ବାବଦରେ ଆଲୋଚନା କରାଯାଉନଥିବା କହିଛନ୍ତି ଶ୍ରୀ ମିଶ୍ର।