ବୁକ୍ ସର୍କୁଲାର୍-୪୭ ଆକ୍ଟକୁ ମାନୁନାହାନ୍ତି ସରକାରୀ ଅଧିକାରୀ: ବିଧାନସଭାରେ ଉଦବେଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୁକ୍ ସର୍କୁଲାର୍-୪୭ ଆକ୍ଟନୁଯାୟୀ, ବିଧାୟକମାନଙ୍କର ପ୍ରଶ୍ନର ଉତ୍ତର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସରକାରୀ କର୍ମଚାରୀମାନେ ଦେଉନଥିବା ଏବଂ ଅସମ୍ମାନ କରିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ପ୍ରତିବାଦ କରିଥିଲେ।

ଶୂନ୍ୟକାଳରେ ଏକ ପ୍ରସଙ୍ଗ ଉପରେ ଶ୍ରୀ ମିଶ୍ର କହିଲେ ଯେ, ବୁକ୍ ସର୍କୁଲାର୍-୪୭ରେ ଉଲ୍ଲେଖ ରହିଛି ଯେ, ବିଧାୟକମାନେ ଯେକୌଣସି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ଅଧିକାରୀଙ୍କଠାରୁ ଜାଣିବାକୁ ଚାହିଁଲେ ତାର ଉତ୍ତର ଦେବାକୁ ସେମାନେ ବାଧ୍ୟ। ସମ୍ଭବ ହେଲେ ପଚରାଯାଇଥିବା ତଥ୍ୟ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ଦ୍ୱାରା ନିଆଯାଇଥାଏ। ମାତ୍ର ଏହାର ଉଲ୍ଲଂଘନ ପ୍ରତିଦିନ ହେଉଛି।

ଯଦି କୌଣସି ବିଧାୟକ ମନ୍ତ୍ରୀ କିମ୍ବା ସରକାରୀ ଅଧିକାରୀଙ୍କୁ ଫୋନ କଲେ ବା ଚିଠି ଦେଲେ ଉତ୍ତର ବା ଜବାବ୍ ମିଳୁନାହିଁ। ମନ୍ତ୍ରୀଙ୍କ ଅଧିକାରୀ ବା ସରକାରୀ ଅଧିକାରୀମାନେ ଏଥିପାଇଁ ଏକ ରେଜିଷ୍ଟର୍ ମେଣ୍ଟେନ କରିବା ଦରକାର। ତାହା ସେମାନେ କରୁନାହାନ୍ତି। ଏମିତି ହେଲେ ଗଣତନ୍ତ୍ର ମୂଲ୍ୟହୀନ ହୋଇଯିବ। ଲୋକ ପ୍ରତିନିଧିଙ୍କୁ କେହି ପଚାରିବେ ନାହିଁ। ବିଧାନସଭାରେ ଏକ ପ୍ରୋଟୋକଲ କମିଟି ଥିଲା। ତାହାକୁ ବାଚସ୍ପତି ଉଠାଇଦେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗ ଏଥିକ୍ସ କମିଟି ନିକଟରେ ଉପସ୍ଥାପନ କରାଯାଇଛି। ବୁକ୍ ସର୍କୁଲାର୍-୪୭କୁ ଯଥୋଚିତ ଭାବେ ପାଳନ କରିବା ପାଇଁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ଯଦି ଉକ୍ତ ପ୍ରସଙ୍ଗରେ ବାଚସ୍ପତି କିଛି ନକରିବେ, ତେବେ ଆଇନ ତାବାଟରେ ଯିବ ବୋଲି ଶ୍ରୀ ମିଶ୍ର କହିଥିଲେ।

ଏ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ରୁଲିଂ ଦେଇ କହିଲେ ଯେ, ବୁକ୍ ସର୍କୁଲାର୍-୪୭କୁ ଯେଉଁମାନେ ଉଲ୍ଲଂଘନ କରୁଛନ୍ତି, ବିଧାୟକମାନେ ସେ ଏସର୍ମ୍ପର୍କିତ ଅଭିଯୋଗ ଏଥିକ୍ସ କମିଟିକୁ ପଠାଇପାରିବେ। ବିଧାନସଭା ସଚିବାଳୟ ଏବଂ ମୁଖ୍ୟଶାସନ ସଚିବଙ୍କ ପକ୍ଷରୁ ଏ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଯିଏ ଏଥର ଉଲ୍ଲଂଘନ କରିବ, ତାଙ୍କ ଉପରେ ଏଥିକ୍ସ କମିଟି ବିଚାର କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବ।