ସରିଲା ମତଦାନ, ଫଳାଫଳକୁ ଅପେକ୍ଷା: ଗଣତନ୍ତ୍ର ପର୍ବରେ ସାମିଲ ହେଲେ ସେଲିବ୍ରିଟି

ନୂଆଦିଲ୍ଲୀ: ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ ସହ ଦୁଇ ଲୋକସଭା ଓ ୧୭ ରାଜ୍ୟରେ ୫୧ ବିଧାନସଭା ପାଇଁ ଉପନିର୍ବାଚନ ସୋମବାର ସନ୍ଧ୍ୟାରେ ଶେଷ ହୋଇଛି। ଆସନ୍ତା ୨୪ରେ ଭୋଟ ଗଣତି କରାଯିବ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମୋଟ ୮ କୋଟି ୯୮ ଲକ୍ଷ ୩୯ ହଜାର ୬୦୦ ମତଦାତା ୩୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି। ସେହିପରି ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭା ନିର୍ବାଚନରେ ୧ କୋଟି ୮୩ ଲକ୍ଷ ୯୦ ହଜାର ୫୨୫ ଭୋଟର ୧୧୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି।

ମହାରାଷ୍ଟ୍ରରେ ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପତ୍ନୀ ଅମୃତାଙ୍କ ସହ ପଶ୍ଚିମ ନାଗପୁର ଭୋଟଗ୍ରହଣ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥିଲେ। ଫଡନାବିସ ନାଗପୁର ଦକ୍ଷିଣ-ପଶ୍ଚିମ ବିଧାନସଭା ଆସନରୁ ପଞ୍ଚମଥର ପାଇଁ ନିର୍ବାଚନ ଲଢୁଛନ୍ତି।

କଂଗ୍ରେସ ପକ୍ଷରୁ ତାଙ୍କ ବିରୋଧରେ ଡକ୍ଟର ଆଶିଷ ଦେଶମୁଖଙ୍କୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ତାମିଲନାଡୁ ଗଭର୍ଣ୍ଣର ବନୱାରୀଲାଲ ପୁରୋହିତ, ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ନାଗପୁରରେ ସେମାନଙ୍କ ଭୋଟଗ୍ରହଣ କେନ୍ଦ୍ରରେ ମତାଧିକାର ସାବ୍ୟସ୍ତ କରିଥିଲେ।

ଏନ୍ସିପି ମୁଖ୍ୟ ଶରଦ ପାୱାର ମୁମ୍ବାଇର ତାରଦେଓ ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିଥିଲେ। ବିଜେପି ନେତା ତଥା ରାଜ୍ୟ ମନ୍ତ୍ରୀ ଆଶିଷ ସେଲାର, ଦଳର ନେତା ପରାଗ ଆଲାଭନି, ଶିବସେନାର ରବୀନ୍ଦ୍ର ଭାଇକର ମତଦାନ କରିଛନ୍ତି।

ବଲିଉଡ ଜଗତର ବହୁ ସେଲିବ୍ରିଟି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆମୀର ଖାନ୍ ଓ ପତ୍ନୀ କିରଣ ରାଓ, ଅଭିନେତା ନିର୍ଦ୍ଦେଶକ କୁନାଲ କୋହଲି, ପୁରୁଖା ଅଭିନେତ୍ରୀ ଶୁଭା ଖୋଟେ ସୋମବାର ସକାଳେ ମତଦାନ କରିଥିଲେ। ସକାଳ ସମୟରେ ସାମାନ୍ୟ ବର୍ଷା ସତ୍ତେ୍ୱ ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା।

ହରିଆଣାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଛି। ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟର କର୍ଣ୍ଣାଲ ଆସନ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିଛନ୍ତି। ସେ ସାଇକେଲ ଯୋଗେ ୧୩୪ ନମ୍ବର ବୁଥ୍ରେ ପହଞ୍ଚି ଭୋଟ ଦେଇଥିଲେ।

ପରିବେଶ ସୁରକ୍ଷା ନେଇ ଜନସାଧାରଣଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସେ ଏଭଳି ପଦକ୍ଷେପ ନେଇଥିଲେ। ମତଦାନ ପରେ ଗଣମାଧ୍ୟମ ସହ ଆଲୋଚନା କଲାବେଳେ ଖଟର କହିଛନ୍ତି ରାଜ୍ୟରେ ପୁଣି ବିଜେପି ସରକାର ଗଠନ କରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି।

ସେହିପରି ରୋହତକ ଆସନରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡାଙ୍କ ବିରୋଧରେ ବିଜେପିରୁ ସତୀଶ ମଣ୍ଡଳ ପ୍ରାର୍ଥୀ ହୋଇଛନ୍ତି। ପଞ୍ଚକୁଲାରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଛି।

ଏହି ଆସନରେ ବିଧାୟକ ଥିବା ଜ୍ଞାନଚାନ୍ଦ ଗୁପ୍ତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଚନ୍ଦର ମୋହନଙ୍କ ମଧ୍ୟରେ ମୁକାବିଲା ହୋଇଛି। ଦାଦ୍ରି ନିର୍ବାଚନମଣ୍ଡଳୀରେ ଡଙ୍ଗଲଗାର୍ଲ ବବିତା ଫୋଗଟ ପ୍ରାର୍ଥୀ ହୋଇଛନ୍ତି। ସେ ଜେଜେପି ସମର୍ଥିତ ସତପାଲ ସାଙ୍ଗୱାନଙ୍କ ବିରୋଧରେ ଲଢୁଛନ୍ତି।

ତୋହାନା ଆସନରେ ବିଜେପି ରାଜ୍ୟ ସଭାପତି ସୁବାସ ବର୍ସଲା ମଧ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଛି।ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମହାରାଷ୍ଟ୍ରରେ ୩ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ।

ସେହିପରି ହରିଆଣାରେ ୭୫ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଥିଲା।