ଦୁଇ ଦିନର ହଙ୍ଗାମା ପରେ ସ୍ୱାଭାବିକ ଚାଲିଲା ପ୍ରଶ୍ନକାଳ : ବିଜେପିର ଶାନ୍ତି ପୂର୍ଣ୍ଣ ପ୍ରତିବାଦ

ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ବିରୋଧୀଙ୍କ ହଙ୍ଗାମା ଯୋଗୁ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦୁଇଦିନ ଧୋଇଯିବା ପରେ ଶୁକ୍ରବାର କିଛିଟା ସ୍ୱାଭାବିକ ହୋଇଛି ଗୃହ। ଆରମ୍ଭରୁ ମୁହଁରେ କଳାପଟି ବାନ୍ଧି ବିଜେପି ସଦସ୍ୟ ପ୍ରତିବାଦ କରିଥିଲେ ମଧ୍ୟ ପ୍ରଶ୍ନୋତ୍ତର କାଳ କିନ୍ତୁ ସ୍ୱାଭାବିକ ଭାବେ ଚାଲି ପାରିଥିଲା। ହେଲେ ବିଜେପି ବିଧାୟକମାନେ କୈାଣସି କାର୍ଯ୍ୟକ୍ରମରେ ଭାଗ ନନେବାରୁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲାଇବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡ଼ାକିଛନ୍ତି।

ଶୀତ ଅଧିବେଶନର ତୃତୀୟ ଦିନରେ ବିଜେପି ବିଧାୟକମାନେ ବେକରେ କଳା ଗାମୁଛା ଓ ମୁହଁରେ କଳାପଟି ବାନ୍ଧି ଗୃହକୁ ପ୍ରବେଶ କରିବା ସହ ଶାନ୍ତି ପ୍ରତିବାଦ କରିଥିଲେ। ବାଚସ୍ପତିଙ୍କ ଅନୁରୋଧ କ୍ରମେ ବିଜେପି ସଦସ୍ୟମାନେ ମୁହଁରୁ କଳାପଟି ହଟାଇବା ପରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିପାରିଥିଲେ। ହେଲେ ବିଜେପି କୌଣସି ଆଲୋଚନାରେ ଭାଗ ନନେଇ ପ୍ରତିବାଦ କରିବାରୁ ବାଚସ୍ପତି ପ୍ରଶ୍ନକାଳ ପରେ ୩୦ ମିନିଟ ଗୃହକୁ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ ଡ଼ାକିଥିଲେ।

ହେଲେ ବିଜେପି ଦଳର ସଦସ୍ୟମାନେ ବୈଠକରେ ଯୋଗଦେଇ ନଥିଲେ। ଶୂନ୍ୟକାଳରେ ମଧ୍ୟ ସେମାନେ କୌଣସି ଆଲୋଚନାରେ ଭାଗନନେଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜଣାଇଥିଲେ। ତେବେ ବିରୋଧୀ ଦଳ ନେତା ଗୃହ ବାହାରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ସ୍ମିତାରାଣୀ ମୃତ୍ୟୁ ମାମଲାରେ ଗୃହରେ ଆମକୁ କହିବାକୁ ସୁଯୋଗ ମିଳିଲାନି। ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ରାମକୋ ସିମେଣ୍ଟ ଅଧିକାରୀଙ୍କ ବିରୋଧରେ ୩୦୨ ଦଫା ଲଗାଯାଇ ଗିରଫ ଓ ଏସପିଙ୍କୁ ବହିସ୍କାର କରାଯାଉ ବୋଲି ଆମର ଦାବି ରହିଥିଲା। ସିବିଆଇ ତଦନ୍ତ ନ ହେବାଯାଏ ଏଭଳି ବିରୋଧ ଜାରିରହିବ ଏବଂ ଗତ ୩ଦିନ ଧରି ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ସର୍ବଦଳୀୟ ବୈଠକକୁ ଗଲେନି ବୋଲି ସେ କହିଛନ୍ତି ବିରୋଧୀ ଦଳନେତା ପ୍ରଦୀପ ନାୟକ।