ନୂଆଦିଲ୍ଲୀ,ଏଜେନ୍ସି: ଆସାମ ସରକାର ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜୀବ ଗାନ୍ଧୀ ଜାତୀୟ ପାର୍କର ନାମ ବଦଳାଇ ଔରଙ୍ଗ ଜାତୀୟ ଉଦ୍ଦ୍ୟାନ ରଖିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ମନ୍ତ୍ରୀ ପୀୟୂଷ ହାଜରିକା କହିଛନ୍ତି କି, ଆଦିବାସୀ ଓ ଜନଜାତି ସମ୍ପ୍ରଦାୟର ଚାହିଦାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଏହା ପୂର୍ବରୁ ଖେଳ ରତ୍ନ ପୁରସ୍କାରରୁ ମଧ୍ୟ ରାଜୀବ ଗାନ୍ଧୀଙ୍କ ନାମକୁ ହଟାଇ ଦିଆଯାଇଥିଲା। ଖେଳ ରତ୍ନ ପୁରସ୍କାରର ନାମକୁ ବଦଳାଇ ମେଜର ଧ୍ୟାନଚନ୍ଦ ଖେଳ ରତ୍ନ ପୁରସ୍କାରରେ ନାମିତ କରାଯାଇଥିଲା। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଟିମ୍ ଅଲମ୍ପିକ୍ସରେ ପଦକ ଆଣିଥିବାରୁ ହକିକୁ ପ୍ରାଧ୍ୟାନ ଦେଇ ନାମ ପରିବର୍ତ୍ତନ କରାଯାଇଥିଲା।
ବ୍ରହ୍ମପୁତ୍ର ନଦୀର ଉତ୍ତରରେ ୭୯.୮୨ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏହି ଜଙ୍ଗଲକୁ ୧୯୮୫ ମସିହାରେ ୱାଇଲ୍ଡ ଲାଇଫ୍ ସାଞ୍ଚୁରୀ ଘୋଷିତ କରାଯାଇଥିଲା। ପରେ ୧୯୯୯ ମସିହାରେ ଏହାକୁ ଜାତୀୟ ପାର୍କ ଘୋଷଣା କରାଯାଇଥିଲା। ଏହି ପାର୍କ ମୁଖ୍ୟତଃ ବେଙ୍ଗଲ ଟାଇଗର, ଭାରତୀୟ ଗେଣ୍ଡା, ହାତୀ ଆଦି ପଶୁପକ୍ଷୀଙ୍କ ପାଇଁ ଜଣାଯାଏ।