ମହିଳାଙ୍କୁ ଦୁର୍ବ୍ୟବବହାର ଅଭିଯୋଗରେ ୧୮ଜଣ ଆର୍ମି ପରୀକ୍ଷାର୍ଥୀଙ୍କୁ ଅଟକ ରଖିଲା ରେଳବାଇ ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟ୍ରେନରେ ଆର୍ମି ପରୀକ୍ଷାର୍ଥୀମାନେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୧୮ଜଣ ଯୁବକଙ୍କୁ ରେଳବାଇ ପୁଲିସ ଅଟକ ରଖିଛି। ଭୁବନେଶ୍ୱରରେ ସୋମବାର ହେବାକୁ ଥିବା ଆର୍ମି ପରୀକ୍ଷା ପାଇଁ ସମସ୍ତ ରାଜ୍ୟରୁ ଯୁବକ ଆସୁଛନ୍ତି। ନନ୍ଦନକାନନ ଏକ୍ସପ୍ରେସ ଦିଲ୍ଲୀ ଛାଡ଼ିବା ପରେ ଶହ ଶହ ପରୀକ୍ଷାର୍ଥୀ ରିଜର୍ଭ ବଗିରେ ଚଢ଼ିଥିଲେ।

ପରୀକ୍ଷାର୍ଥୀମାନେ ଯାତ୍ରୀଙ୍କ ସହ ଦୁର୍ବ୍ୟବବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଛି। ଯାତ୍ରୀମାନେ ଯୁବକଙ୍କର ଏଭଳି ବ୍ୟବହାରକୁ ବିରୋଧ କରିବାରୁ ଯୁବକମାନେ ଟ୍ରେନରେ ନିଆଁ ଲଗାଇଦେବୋ ବୋଲି ଧମକ ଦେଇଥିଲେ। ତେବେ ଟ୍ରେନ୍ ଭୁବନେଶ୍ୱର ପ୍ଲାଟଫର୍ମରେ ପହଞ୍ଚିବା ପରେ ଉକ୍ତ ଘଟଣାକୁ କେନ୍ଦ୍ର କରି ଜିଆରପି ପୁଲିସ ଓ ଆରପିଏଫ୍ ୧୮ଜଣଙ୍କୁ ଅଟକ ରଖିଛି। ଦେଶରେ ସୁରକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଏହି ପରୀକ୍ଷାର୍ଥୀମାନଙ୍କର ଏଭଳି ଅଶ୍ଲୀଳ ବ୍ୟବହାର ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।