ଏସିଆ ୟୁଥ୍ ପାରା ଗେମ୍ସ ଉଦ୍‌ଯାପିତ; ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଟିମ୍‌କୁ ୧୬ ପଦକ

ନୂଆଦିଲ୍ଲୀ,ଏଜେନ୍ସି: ବାହରିନ୍‌ଠାରେ ସୋମବାର ଏସିଆ ୟୁଥ୍ ପାରା ଗେମ୍ସ ଉଦ୍‌ଯାପିତ ହୋଇଥିବା ବେଳେ ଏଥିରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗୀମାନେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ୧୬ଟି ପଦକ ହାସଲ କରିଛନ୍ତି। ଏହି ପଦକ ବିଜେତାଙ୍କ ମଧ୍ୟରେ ଗତ ଟୋକିଓ ପାରାଲିମ୍ପିକ୍ସରେ ଭାଗ ନେଇଥିବା ପଲକ୍ କୋହଲି, ସଞ୍ଜନା କୁମାରୀ ଓ ହାର୍ଦ୍ଦିକ ମକ୍କଡ୍ ସାମିଲ୍ ଅଛନ୍ତି। ରିଫା ସିଟିରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଖେଳାଳିମାନେ ୪ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ୍ ପଦକ ଜିତିପାରିଛନ୍ତି।

ମହିଳା ସିଙ୍ଗଲ୍ସ ବର୍ଗରେ ନିତ୍ୟା ଶ୍ରେ ଓ ସଞ୍ଜନା ଯଥାକ୍ରମେ ଏସ୍‌ଏଚ୍‌୬ ଓ ଏସ୍‌ଏଲ୍‌୩ କ୍ଲାସିଫିକେସନ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ପଲକ୍ ଓ ସଞ୍ଜନା ମିଳିତ ଭାବେ ମହିଳା ଡବଲ୍ସ (ଏସ୍‌ଏଲ୍‌୩-ଏସ୍‌ୟୁ୫)ରେ ସ୍ୱର୍ଣ୍ଣ ଜିତିଛନ୍ତି। ଏହାଛଡ଼ା ପୁରୁଷ ଡବଲ୍ସ (ଏସ୍‌ଏଲ୍‌୩-ଏସ୍‌ଏଲ୍‌୪)ରେ ନେହଲ୍ ଗୁପ୍ତା-ଅଭିଜିତ୍ ସାଖୁଜା ଶୀର୍ଷ ସ୍ଥାନ ହାସଲ ପୂର୍ବକ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଆହୁରି ରୌପ୍ୟ ପଦକ ବିଜେତାଙ୍କ ମଧ୍ୟରେ ମିକ୍ସଡ ଡବଲ୍ସ (ଏସ୍‌ଏଚ୍‌୬)ରେ ନିତ୍ୟା-ଆଦିତ୍ୟ କୁଲକର୍ଣ୍ଣି ଯୋଡ଼ି, ମହିଳା ସିଙ୍ଗଲ୍ସ (ଏସ୍‌ଏଲ୍‌୪)ରେ ଜ୍ୟୋତି, ପୁରୁଷ ସିଙ୍ଗଲ୍ସ, ଏସ୍‌ଏଲ୍‌୪)ରେ ନବୀନ ଏସ୍‌., ପୁରୁଷ ସିଙ୍ଗଲ୍ସ (ଏସ୍‌ୟୁ୫)ରେ ହାର୍ଦ୍ଦିକ, ପୁରୁଷ ଡବଲ୍ସ (ଏସ୍‌ୟୁ୫)ରେ କରନ୍ ପନୀର୍‌-ରୁଥିକ୍ ରଗୁପତି ଯୋଡ଼ି ଏବଂ ମିକ୍ସଡ ଡବଲ୍ସ (ଏସ୍‌ଏଲ୍‌୩-ଏସ୍‌ୟୁ୫)ରେ ହାର୍ଦ୍ଦିକ-ସଞ୍ଜନା ଯୋଡ଼ି ରହିଛନ୍ତି। ତା’ଛଡ଼ା ମହିଳା ସିଙ୍ଗଲ୍ସ (ଏସ୍‌ୟୁ୫)ରେ ପଲକ୍‌, ମିକ୍ସଡ ଡବଲ୍ସ (ଏସ୍‌ଏଲ୍‌୩-ଏସୟୁ୫)ରେ ନେହଲ୍‌, ପୁରୁଷ ଡବଲ୍ସ (ଏସ୍‌ୟୁ୫)ରେ ନବୀନ୍ ଏସ୍‌-ହାର୍ଦ୍ଦିକ ଯୋଡ଼ି ଏବଂ ପୁରୁଷ ସିଙ୍ଗଲ୍ସ (ଏସ୍‌ଏଚ୍‌୬)ରେ ଆଦିତ୍ୟ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।

ପାରା ଆଥଲେଟ୍‌ମାନଙ୍କ ଏହି ସଫଳତାରେ ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ବାଇ) ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଜଣାଯିବା ସହ ସେମାନଙ୍କ ପ୍ରଦର୍ଶନରେ ସଂଘ ଗୌରବାନ୍ୱିତ ଅନୁଭବ କରୁଥିବା କୁହାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ରେ ୩୦ଟି ଦେଶରୁ ପାଖାପାଖି ୭ ଶହ ଆଥଲେଟ୍ ଅଂଶଗ୍ରହଣ କରିଥିଲେ।