ଭାରତ ନେତୃତ୍ୱରେ ଦକ୍ଷିଣ ଏସିଆ ବିଶ୍ୱ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ହେବ: ଆଇଏମଏଫ୍

ନୂଆଦିଲ୍ଲୀ: ଆଗାମୀ ଦିନରେ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଦକ୍ଷିଣ ଏସିଆ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ୨୦୪୦ ସୁଦ୍ଧା ବିଶ୍ୱ ଜିଡିପିକୁ ଏହି ଅଞ୍ଚଳର ଅବଦାନ ମୋଟ ଜିଡିପିର ଏକ ତୃତୀୟାଂଶ ରହିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ୍) ପକ୍ଷରୁ କରାଯାଇଥିବା ଏକ ଗବେଷଣାଭିତ୍ତକ ରିପୋର୍ଟରେ କୁହାଯାଇଛି। ଭାରତ ନେତୃତ୍ୱରେ ବାଂଲାଦେଶ, ନେପାଳ, ଶ୍ରୀଲଙ୍କା, ଭୁଟ୍ଟାନ ଏବଂ ମାଲଦୀପ ପ୍ରଭୃତି ରାଷ୍ଟ୍ର ସମୂହର ଅର୍ଥନୈତିକ ସ୍ଥିତିରେ ଦ୍ରୁତ ଉନ୍ନତି ଦେଖାଯିବା ସହିତ ବିଶ୍ୱ ଅଭିବୃଦ୍ଧିରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆକଳନ କରାଯାଇଛି। ତେବେ ଦକ୍ଷିଣ ଏସିଆ ଅଞ୍ଚଳକୁ ନେଇ ଆଇଏମଏଫ୍ ପକ୍ଷରୁ କରାଯାଇଥିବା ଏହି ଗବେଷଣାରେ ପାକିସ୍ତାନ ଏବଂ ଆଫ୍ଗାନିସ୍ତାନ ଭଳି ରାଷ୍ଟ୍ରମାନଙ୍କୁ ବାଦ୍ ଦିଆଯାଇଛି।

‘ଇଜ୍ ସାଉଥ୍ ଏସିଆ ରେଡି ଫର୍ ଟେକ୍ ଅଫ୍’ ଶୀର୍ଷକ ଏହି ଗବେଷଣାତ୍ମକ ଅନୁଧ୍ୟାନକୁ ନେଇ ଆଇଏମଏଫ୍ ପକ୍ଷରୁ କୁହାଯାଇଛି ଯେ, ଏହିସବୁ ରାଷ୍ଟ୍ରରେ ଆର୍ଥିକ ଉଦାରୀକରଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିବାକୁ ଯାଉଛି। ଏହାଛଡ଼ା ଏହି ଅଞ୍ଚଳର ବିପୁଳ ଯୁବ କର୍ମବଳ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ବଡ଼ ସମ୍ପଦ ହେବ।

ଏହାକୁ ନେଇ ୨୦୪୦ ସୁଦ୍ଧା ଏହିସବୁ ରାଷ୍ଟ୍ରମାନେ ବିଶ୍ୱ ଜିଡିପି ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ବୋଲି ଆଇଏମଏଫ୍ ପକ୍ଷରୁ କୁହାଯାଇଛି। ଆଇଏମଏଫର ଏସିଆ ପାସିଫିକ୍ ବିଭାଗର ଉପ ନିର୍ଦ୍ଦେଶକ ଆନି ମେରୀ ଏହି ମର୍ମରେ କହିଛନ୍ତି ଯେ, ସମଗ୍ର ଏସିଆ ମହାଦେଶରେ ଦକ୍ଷିଣ ଏସିଆର ଉପରୋକ୍ତ ଅଞ୍ଚଳରେ ସର୍ବାଧିକ ଅଭିବୃଦ୍ଧିର ସମ୍ଭାବନା ରହିଥିବାରୁ ଏହା ବିଶ୍ୱ ଅଭିବୃଦ୍ଧିର କେନ୍ଦ୍ରସ୍ଥଳ ହେବାକୁ ଯାଉଛି।