ଏସିଆ ରଗବୀ ଅନଷ୍ଟପେବଲ୍ ଅଭିଯାନରେ କିସ୍ର ସୁମିତ୍ରା ନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: କିସ୍ ଛାତ୍ରୀ ତଥା ଭାରତୀୟ ରଗବୀ ଖେଳାଳି ସୁମିତ୍ରା ନାୟକ ଏସିଆ ରଗବୀ ଅନଷ୍ଟପେବଲ୍ ଅଭିଯାନରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି। ସୁମିତ୍ରାଙ୍କ ବ୍ୟତୀତ ଭାରତରୁ ଆଉ ଦୁଇ ମହିଳା ରଗବୀ ଖେଳାଳି ବାହାବିଜ୍ ଭାରୁଚା ଓ ସଂଧ୍ୟା ରାଏ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିବେ। ଗୋସ୍ପୋର୍ଟସ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦୀପ୍ତି ବୋପାୟା, ଡେଲ ଇଏମସି ସିଏସଆର୍ ମୁଖ୍ୟ ଏପି ଅର୍ଚ୍ଚନା ସହାୟ, ଡ୍ରିମ୍ ଇଲେଭେନ୍ ପ୍ରବନ୍ଧକ ନେହା ଶର୍ମା ଓ ଅଭିନେତା ତଥା ଅନ୍ତର୍ଜାତୀୟ ରଗବୀ ତାରକା ରାହୁଲ ବୋଷଙ୍କୁ ନେଇ ବିଚାରକ ମଣ୍ଡଳୀ ଏହି ଖେଳାଳିମାନଙ୍କୁ ମନୋନୀତ କରିଛନ୍ତି। ଏହି ଅଭିଯାନରେ ସାମିଲ ହେବା ପାଇଁ ୬୦ରୁ ଅଧିକ ମହିଳା ଖେଳାଳି ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରେରଣା ଦାୟକ କ୍ରୀଡ଼ା ବ୍ୟକ୍ତିତ୍ୱ ଭାବେ ବିଚାରକ ମଣ୍ଡଳୀ ଏହି ୩ ଜଣଙ୍କୁ ମନୋନୀତ କରିଛନ୍ତି।

ସୁମିତ୍ରାଙ୍କ ସଫଳତାରେ ସନ୍ତୋଷ ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି “ଯେଉଁ ସୁମିତ୍ରାଙ୍କୁ ପିଲାଟି ବେଳୁ କିସ୍ କୋଳେଇ ନେଇଛି, ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ସେଥିପାଇଁ ମୁଁ ବହୁତ ଆନନ୍ଦିତ। ବ୍ୟକ୍ତିଗତ ଭାବେ ମୁଁ ସୁମିତ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।” ବାଲ୍ୟକାଳରୁ ଏପର୍ଯ୍ୟନ୍ତ ସୁମିତ୍ରାଙ୍କ ସଂଘର୍ଷମୟ ଜୀବନ ସଂପର୍କରେ ଜାଣିଲେ ଯେ କୌଣସି ବ୍ୟକ୍ତିଙ୍କ ଆଖିରେ ଲୁହ ଆସିଯିବ। ବହୁ ସଂଘର୍ଷକୁ ଅତିକ୍ରମ କରି ସୁମିତ୍ରା ଆଜି ଶୀର୍ଷରେ ପହଞ୍ଚିଛନ୍ତି। ପୂର୍ବରୁ ସୁମିତ୍ରା ଅନେକ କୀର୍ତ୍ତି ଅର୍ଜନ କରିଥିବା ବେଳେ ପୁନର୍ବାର ସେ ଏହି କୀର୍ତ୍ତି ସ୍ଥାପନ କରିଛନ୍ତି ଏହା କେବଳ କିସ୍ ପାଇଁ ନୁହେଁ, ସମଗ୍ର ଓଡ଼ିଶା ତଥା ଭାରତ ପାଇଁ ଗୌରବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।