ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଅଟକ

ପିପିଲି,ଏନ୍ଏନ୍ଏସ୍: ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ବଳଙ୍ଗା ଥାନା ଏଏସ୍‌ଆଇଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ପିପିଲି ଏସଡିପିଓ ଏ ସମ୍ପର୍କରେ ଏଏସଆଇଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି। ଶୁକ୍ରବାର ଜଣେ ୩୦ ବର୍ଷୀୟା ବିବାହିତ ମହିଳାଙ୍କୁ ବଳଙ୍ଗା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ଦାସ ଦୁଷ୍କର୍ମ କରିଥିବା ଗତକାଲି ସନ୍ଧ୍ୟାରେ ପିପିଲି ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ପୀଡ଼ିତା ନିଜେ ଅଭିଯୋଗ କରିଥିଲେ। ଏସ୍‌ଡିପିଓ ଦେବଦତ୍ତ ବରାଳ ଅଭିଯୋଗକୁ ଗ୍ରହଣ କରି ଜଣେ ମହିଳା ପୁଲିସ ଅଧିକାରୀଙ୍କ ଦ୍ୱାରା ତଦନ୍ତ ଆରମ୍ଭ କରିଥିଲେ।
ଏ ସମ୍ପର୍କରେ ସୂଚନା ପାଇ ଗତକାଲି ପୁରୀ ପୁଲିସ ଅଧୀକ୍ଷକ ମଧ୍ୟ ପିପିଲିରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ ଏ ସମ୍ପର୍କରେ ସରିତା ପ୍ରଥମେ ବଳଙ୍ଗା ଥାନା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ। ଫଳରେ ସେ ବାଧ୍ୟ ହୋଇ ଗତକାଲି ସନ୍ଧ୍ୟାରେ ଏସଡ଼ିପିଓଙ୍କୁ ଅଭିଯୋଗ କରିଥିଲେ। ଏହି ଘଟଣାରେ ସେ ପୁରୀ ପୁଲିସ ଅଧୀକ୍ଷକ, କେନ୍ଦ୍ରାଞ୍ଚଳ ଡିଆଇଜି, ପୁଲିସ ଡିଜି ଏବଂ ମହିଳା କମିସନଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲେ।
ଅନ୍ୟପକ୍ଷରେ ତାଙ୍କ ସହ ଜାତୀୟ ଦଳିତ ଆଦିବାସୀ ମହାସଂଘର ରାଜ୍ୟ ସଭାପତି ଲିଟୁ ଦାସ, ରାଜ୍ୟ ମହିଳା ସମ୍ପାଦିକା ଟିକିନା ପରିଡ଼ା, ଉପସଭାପତି ପ୍ରକାଶ ଚନ୍ଦ୍ର ପ୍ରଧାନ, ପୁରୀ ଜିଲ୍ଲା ସଭାପତି ଜୟଦେବ ବେହେରା ଓ ପିପିଲି ବ୍ଲକ୍‌ସଭାପତି ରମେଶ ବେହେରା ପ୍ରମୁଖ ପିପିଲି ଏସଡ଼ିପିଓଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତକୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରିଥିଲେ। ସୂଚନା ଅନୁଯାୟୀ ଦୀର୍ଘ ୬ମାସ ତଳେ ଉକ୍ତ ମହିଳାଙ୍କ ସ୍ୱାମୀ ଏକ ଅଟୋ  କିଣିକି ଆଣିଥିଲେ।
ସେହି ଅଟୋକୁସରିତା(ଛଦ୍ମନାମ)ଙ୍କ ଶାଶୂଘର ଲୋକ ନିଆଁ ଲଗାଇ ପୋଡ଼ି ଦେଇଥିବା ବଳଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଥାନାର ଏଏସଆଇ ଚିତ୍ତରଞ୍ଜନ ଦାସ ପୀଡ଼ିତାଙ୍କୁ ଡକାଇଥିଲେ। ମାତ୍ର କୌଣସି କାରଣରୁ ସେ ଯାଇପାରି ନଥିଲେ। ଏହାର କିଛିଦିନ ପରେ ଫୋନରେ ଚିତ୍ତରଞ୍ଜନ ଅଟୋ  ପୋଡ଼ି ମାମଲାରେ ଶଶୁର ଆସିବେ, ତୁମେ ଶୀଘ୍ର ଆସ ବୋଲି କହି ପୀଡିତାଙ୍କୁ ଥାନାକୁ ଡକାଇଥିଲେ। ପରେ ପୀଡ଼ିତା ଥାନାରେ ପହଞ୍ଚିଥିଲେ। ତେବେ ସେଠାରେ ସେ ବହୁ ସମୟ ଅପେକ୍ଷା କରିବା ପରେ ମଧ୍ୟ ଶଶୁର ଆସିନଥିଲେ।
ଏହି ସମୟରେ ଚିତ୍ତରଞ୍ଜନ କାଗଜପତ୍ର ଦେଖିବା ବାହାନାରେ ସରିତାଙ୍କୁ ନିଜ ରୁମ୍‌କୁଡାକି ନେଇ ପାଟି ବନ୍ଦକରି ଦୁଷ୍କର୍ମ କରିଥିଲେ ଏବଂ କାହାକୁ କିଛି କହିଲେ ମିଛ ମାମଲାରେ ବାନ୍ଧି ଜେଲ ପଠାଇଦେବେ ବୋଲି ଧମକ ଦେଇଥିଲେ। କେବଳ ସେତିକି ନୁହେଁ; ଏହା ପରେ ବିଭିନ୍ନ ସମୟରେ ବିଳମ୍ବିତ ରାତିରେ ଫୋନ୍‌ କରି ଅଶ୍ଳୀଳ କଥା ହେବା  ସହ ବାରମ୍ବାର ରୁମ୍‌କୁ ଆସିବା ପାଇଁ ବାଧ୍ୟ କରୁଥିଲେ। ରୁମ୍‌କୁ ଆସି ତାଙ୍କ କଥା ବୁଝିଦେଲେ ଦଫା କୋହଳ କରିଦେବେ ବୋଲି ଥାନା ବାବୁ କହୁଥିବା ସରିତା ଅଭିଯୋଗ କରିଛନ୍ତି।