ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ଏ.ଏସ.ଆଇ ଆର୍ ଭୀମ୍ମାରାଓ ରେଡ୍ଡୀଙ୍କ ଅକାଳ ବିୟୋଗ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍ : ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ଏ.ଏସ୍.ଆଇ ଆର୍ ଭୀମ୍ମାରାଓ ରେଡ୍ଡୀଙ୍କ ଶନିବାର ରାତି ପ୍ରାୟ ସାଢ଼େ ୭ଟା ସମୟରେ ବ୍ରହ୍ମପୁର ଠାରେ ଘରୋଇ ଡାକ୍ତରଖାନାରେ ଅକାଳ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ସ୍ୱର୍ଗତ ଏ.ଏସ୍.ଆଇ ରେଡ୍ଡୀଙ୍କର ନିଜ ଗ୍ରାମ ଗଂଜାମ ଜିଲ୍ଲା ରମ୍ଭା ହୋଇଥିବା ବେଳେ ସେ ବ୍ରହ୍ମପର ସ୍ଥିତ ଗଜପତି ନଗରରେ ରହି ଆସୁଥିଲେ। ସେ ପାଖାପାଖି ୫ବର୍ଷ ହେବ ଦାରିଙ୍ଗବାଡ଼ି ଥାନାରେ ଏ.ଏସ୍.ଆଇ ଭାବରେ କାର୍ଯ୍ୟରତ ରହିଥିଲେ ।

ସେ ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ଥିବା ବେଳେ ଅଂଚଳରେ ଅପରାଧ ଦମନ ପାଇଁ ସର୍ବଦା ଚେଷ୍ଟା କରୁଥିବା ବେଳେ ତାଙ୍କର ସ୍ଥାନୀୟ ସାଧାରଣଲୋକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ତାଙ୍କର ଖୁବ ଉତମ ସମ୍ପର୍କ ରହିଥିଲା। ତେବେ ଗତ କିଛି ଦିନ ହେଲା ତାଙ୍କର ପେଟରେ ଯନ୍ତ୍ରଣା ଦେଖାଦେଇଥିଲା ।

ସେ ବିଭିନ୍ନ ସମୟରେ ବ୍ରହ୍ମପୁର ଯାଇ ପ୍ରାଥମିକ ଚିକିତ୍ସା କରିଆସୁଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲନଥିବାରୁ ସେ କିଛିଦିନ ହେଲା ସେଥିପାଇଁ ଛୁଟିରେ ରହିଥିବା ବେଳେ ୨ଦିନ ତଳେ କାର୍ଯ୍ୟରେ ଯୋଗଦେଇଥିଲେ। ତେବେ ଶୁକ୍ରବାର ରାତିରେ ତାଙ୍କ ପେଟରେ ଖୁବ ଯନ୍ତ୍ରଣା ହେବାରୁ ସ୍ଥାନୀୟ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ରେଫର କରାଯାଇଥିଲା। ଶୁକ୍ରବାର ବ୍ରହ୍ମପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଅକାଳରେ ମୃତ୍ୟ ଘଟିଥିଲା। ଏହି ଖବର ମିଳିବା ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ଏସ.ଆଇ ଗୋପାଳକୃର୍ଷ୍ଣ ଆଗୁପାତ୍ର,ସୌମ୍ୟରଜଂନ ଜେନା ,ଅନୀଲ ଦେବତାଙ୍କ ସମେତ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କ ସମେତ ଦାରିଙ୍ଗବାଡ଼ି ଥାନାର ସମସ୍ତ କର୍ମଚାରୀ ସମେତ ସ୍ଥାନୀୟ ଅଂଚଳର ଜନସାଧାରଣ ଶୋକ ପ୍ରକାଶ କରିଛନ୍ତି।