ମେଡ଼ିକାଲରୁ ଭୋଟ ଦେଲେ ଆଶୀର୍ବାଦ

କଟକ,ଏନ୍ଏନ୍ଏସ୍: ଓସିଏ ନିର୍ବାଚନ ପାଇଁ ଶୁକ୍ରବାର ମତଦାନ ଆରମ୍ଭ ହୋଇଥିବାବେଳେ ଏଥିରେ ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଭୋଟ ଦେଇଛନ୍ତି। ସୂଚନା ଅନୁଯାୟୀ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଓ ପରେ ଭୋଟ ଗଣା ଯିବ। ତେବେ ଏହାର ଫଳାଫଳ ସନ୍ଧ୍ୟା ୬ଟାରେ ଘୋଷଣା ହେବ ବୋଲି ଜଣାଯାଇଛି। ଏ ନେଇ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମେଡିକାଲରୁ ଥାଇ ଭୋଟ୍ ଦେଇଛନ୍ତି। ସିବିଆଇ ଦ୍ୱାରା  ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଅଧିକ ଚିକିତ୍ସା ପାଇଁ ଗତକାଲି ଠାରୁ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ଭର୍ତ୍ତି କରାଯାଇଛି। ଟ୍ରମା ଓ୍ଵାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଛି।

ଅନ୍ୟପଟେ ପ୍ରଥମଥର ପାଇଁ ଗୋଟିଏ ଲେଖାଏଁ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି । ନାମାଙ୍କନ ଦାଖଲ ପର ଠାରୁ ଆପେକ୍ସ କାଉନସିଲ୍‌ ସଦସ୍ୟ ପାଇଁ କେନ୍ଦ୍ରାପଡ଼ାରୁ ଶୁଭାଶିଷ ସେନାପତି ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବାଚିତ ହୋଇଛନ୍ତି । ଏବଂ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେପ୍ରତିଦ୍ୱନ୍ଦିତା ହେଉଛି । ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ଵାନ୍‌ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ- ସମ୍ପାଦକ ପଦ ପାଇଁ ସୁଜିତ୍‍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନିଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ହେଉଛି । ମୋଟ୍ ୭୩ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେହିପରି ତିନି ଆନ୍ତର୍ଜାତିକ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।