ବ୍ରେନ ଷ୍ଟ୍ରୋକର ଶିକାର ହେଲେ ‘ଆଶିକି’ ହିରୋ ରାହୁଲ ରାୟ

ମୁମ୍ବାଇ: ବଲିଉଡ ପାଇଁ ଚଳିତ ବର୍ଷ ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଥିବାବେଳେ ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଆଶିକି’ ମୁଭିର ସଫଳ ନାୟକ ରାୟୁଲ ରାୟ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୫୪ ବର୍ଷୀୟ ଅଭିନେତା ୭ ଦିନ ପୂର୍ବରୁ କାର୍ଗିଲରେ ‘ଲିଭ ଦା ବେଟେଲ’ ଫିଲ୍ମର ସୁଟିଂ କରୁଥିବା ସମୟରେ ବ୍ରେନ ଷ୍ଟ୍ରୋକର ଶିକାର ହୋଇଥିଲେ। ପରେ ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୨୯ ତାରିଖ ରାତି ୧.୨୫ ମିନିଟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ରାହୁଲ ଏବେ ଆଇସିୟୁରେ ଅଛନ୍ତି।

ସୂଚନାଯୋଗ୍ୟ, ମହେଶ ଭଟ୍ଟଙ୍କ ଫିଲ୍ମ ‘ଆଶିକି’ରେ ଅଭିନୟ କରି ରାହୁଲ ରାତାରାତି ଷ୍ଟାର ହୋଇଯାଇଥିଲେ। ପରେ ‘ସପନେ ସାଜନ କେ’, ‘ଫିର ତେରୀ କାହାନୀ ୟାଦ ଆଇ’, ‘ପ୍ୟାର କା ସାୟା’, ‘ଜୁନୁନ’, ‘ପହଲା ନଶା’ ଓ ‘ଗୁମରାହ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଏତଦବ୍ୟତୀତ ସେ ‘ବିଗବସ୍’ ପ୍ରଥମ ସଂସ୍କରଣର ବିଜେତା ରୂପେ ମଧ୍ୟ ବେଶ୍ ଜଣାଶୁଣା।