ଘରକୁ ଘର ବୁଲି ମେ’ ୨୪ରୁ ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଏବେ କରୋନା ସଂକ୍ରମଣ ଗାଁ ମୁହାଁ ହୋଇଛି। ଏହାକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ନୂତନ ଗାଇଡଲାଇନ ଅନୁଯାୟୀ ଆଜି ରାଜ୍ୟ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି। ଆସନ୍ତା ୨୪ ତାରିଖରୁ ଆଶାକର୍ମୀମାନେ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ଏହା ସହିତ କରୋନା ମୁକାବିଲାରେ ଗାଁ କଲ୍ୟାଣ ସମିତିକୁ ମଧ୍ୟ ସାମିଲ କରିବାକୁ ନିଷ୍ପତି ହୋଇଛି। ଗାଁ କଲ୍ୟାଣ ସମିତି ସାହାଯ୍ୟରେ ଆଶା କର୍ମୀ ଏବଂ ଏଏନଏମ ସ୍ୱାସ୍ଥ୍ୟ କର୍ମୀମାନେ ଗାଁରେ ଘର ଘର ବୁଲି ସର୍ଭିଲାନ୍ସ କାମ କରିବେ। ୩ ମାସ ପର୍ଯ୍ୟନ୍ତ ଘର ଘର ବୁଲି ସର୍ଭେ କରିବେ ଆଶାକର୍ମୀ। କରୋନାର ଲକ୍ଷଣ ଓ ଜଟିଳ ରୋଗର ସର୍ଭେ କରିବେ ଆଶାକର୍ମୀ। ସେମାନଙ୍କୁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ମିଳିବ। ଏହା ଦ୍ୱାରା ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସଂଗରୋଧ କରିବାକୁ ଯୋଜନା କରାଯାଇଛି।