୫୭ ବର୍ଷ ବୟସରେ ମାଟ୍ରିକ୍ ପାସ୍‌ କଲେ ଆଶା ଦିଦି

ବାରିକପୁର,ଏନ୍‌ଏନ୍‌ଏସ୍‌: ଦୃଢ଼ ଇଚ୍ଛା ଶକ୍ତି, ଉଦ୍ୟମ ଓ ସାହସ ଥିଲେ ଯେକୌଣସି କାର୍ଯ୍ୟରେ ଜଣେ ସଫଳତା ହାସଲ କରିବ, ଏହା ପୁଣିଥରେ ସାବ୍ୟସ୍ତ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ କଣ୍ଟି ଗ୍ରାମରେ ସ୍ୱର୍ଣ୍ଣଲତା ପତି ଦୀର୍ଘବର୍ଷ ହେବ ପିଲା ଛୁଆଙ୍କୁ ଧରି ରହିଆସୁଛନ୍ତି। ବିବାହର ଅଳ୍ପ କିଛି ବର୍ଷ ପରେ ସ୍ୱାମୀ ତାଙ୍କ ଠାରୁ ଅଲଗା ହୋଇଯାଇଥିବା ବେଳେ ସ୍ୱର୍ଣ୍ଣଲତା ଭାଗ୍ୟକୁ ଆଦରି ପିଲାଛୁଆଙ୍କୁ ଧରି କଷ୍ଟରେ ଚଳି ଆସୁଛନ୍ତି। ଏହାରି ଭିତରେ ସେ ଆଶା ଦିଦି ଭାବେ ନିଯୁକ୍ତ ହୋଇ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି।

ସରକାରଙ୍କ ପରିବର୍ତ୍ତିତ ନିୟମ ଅନୁସାରେ ଜଣେ ମାଟ୍ରିକ୍ ପାସ୍ କଲେ ତାଙ୍କୁ ଚାକିରିକାଳର ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜାଣିବା ପରେ ଏହାକୁ ଆଧାରକରି ସ୍ୱର୍ଣ୍ଣଲତା ଚଳିତବର୍ଷ ୫୭ ବର୍ଷ ବୟସରେ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଏହାପରେ ସେ ଭଦ୍ରକ ସ୍ଥିତ ବାଗୁରାଇ ସ୍କୁଲରେ ପରୀକ୍ଷା ଦେଇଥିବାବେଳେ ରେଜଲ୍ଟ ବାହାରିବା ପରେ ସେ କୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇଥିଲେ। ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ମାତ୍ର ଛଅମାସ ଭିତରେ ପାଠ୍ୟପୁସ୍ତକ ଅଧ୍ୟୟନ କରି ମାଟ୍ରିକ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ତାଙ୍କର ଏଭଳି ସଫଳତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।