ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷା ଉପଦେଷ୍ଟାଙ୍କ ଆଶା କିରଣ ପରିଦର୍ଶନ

ନବରଙ୍ଗପୁର,ଏନ୍‌ଏନଏସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିକ୍ଷା ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ୨ ଦିନିଆ ନବରଙ୍ଗପୁର ଗସ୍ତ କରିଛନ୍ତି । ପ୍ରଥମେ ପାପଡ଼ାହାଣ୍ଡି ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ ପରେ ସନ୍ଧ୍ୟାରେ ସ୍ଥାନୀୟ ମିଶନ ଶକ୍ତି ବୈଠକ ଗୃହରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଫିସରଙ୍କୁ ନେଇ ଏକ ବୈଠକ କରିଥିଲେ । ସକାଳ ୯ଟାରେ ଜିଲ୍ଲାର ଏକମାତ୍ର ସରକାରୀ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଆଶା କିରଣକୁ ପରିଦର୍ଶନରେ ଆସିଥିଲେ । ପିଲାମାନେ ଫୁଲତୋଡ଼ା ଦେଇ ଶ୍ରୀ ତ୍ରିପାଠୀଙ୍କୁ ସ୍ୱାଗତ ଜଣାଇଥିଲେ । ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଓ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ସରଳ ସ୍ୱଭାବ ଓ ମିଷ୍ଟଭାଷୀ ଶ୍ରୀ ତ୍ରିପାଠୀ ପିଲାଙ୍କ ସହିତ ସମୟ ବିତାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ବିଦ୍ୟାଳୟର ସମସ୍ତ ବିଷୟ ଜିଲ୍ଲାପାଳ ଏବଂ ସାମାଜିକ ସୁରକ୍ଷା ଅଧିକାରୀଙ୍କଠାରୁ ବୁଝିଥିଲେ । ସ୍କୁଲ ଆରମ୍ଭ ହେବାର ଦୀର୍ଘ ୨୨ ବର୍ଷର ପ୍ରଗତି ବିଷୟରେ ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଶିକ୍ଷା ଉପଦେଷ୍ଟାଙ୍କ ଦୃଷ୍ଟିକୁ ଆଣିଥିଲେ । ବିଦ୍ୟାଳୟ, ବଗିଚା ଓ ହଷ୍ଟେଲ ପିଲାଙ୍କ ରହିବା ଖାଇବା ପ୍ରତି ଧ୍ୟାନ ଦେବାକୁ କର୍ମଚାରୀଙ୍କୁ କହିଥିଲେ । ଅନ୍ୟାନ୍ୟ ଅସୁବିଧା ଗୁଡ଼ିକୁ ସରକାରଙ୍କ ଦୃଷ୍ଟିକୁ ଆଣିଲେ ଯଥାଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ । ଏହି ଅବସରରେ ଆଶା କିରଣ ପରିସର ମଧ୍ୟରେ ଅର୍ଜୁନ ନାମରେ ଏକ ଔଷଧୀୟ ବୃକ୍ଷ ରୋପଣ କରିଥିଲେ । ଏହି ପରିଦର୍ଶନ ସମୟରେ ସମସ୍ତ ଛାତ୍ରଙ୍କ ସହିତ କର୍ମଚାରୀ ତଥା ଶିକ୍ଷୟତ୍ରୀ ସନ୍ଧ୍ୟା ରାଣୀ ବେହେରା ଅନ୍ୟାନ୍ୟ କର୍ମୀ ତଥା ପାର୍ବତୀ ଜାନି, ଶାନ୍ତି ପଣ୍ଡା, ରଶ୍ମିତା ପ୍ରଧାନ, ଈଶ୍ୱର ବଞ୍ଜରା, ରୀଙ୍କୁରାଜ୍ ବେହେରା ଓ ରଶ୍ମିତ ଧାନଫୁଲଙ୍କ ସହିତ ଅନେକ ଅଭିଭାବକ ଉପସ୍ଥିତ ରହିଥିଲେ ।