ଇନ୍ଦିରା ଜୟସିଂହଙ୍କ ମନ୍ତବ୍ୟକୁ ନେଇ ବର୍ଷିଲେ ଆଶା ଦେବୀ

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ କ୍ଷମା ଦେବା ପାଇଁ ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହ ପରାମର୍ଶ ଦେଇଥିବା ବେଳେ ଏଥିରେ ନିର୍ଭୟାଙ୍କ ମା’ ଉତକ୍ଷୀପ୍ତ ହୋଇଛନ୍ତି। ଏ ନେଇ ନିର୍ଭୟାଙ୍କ ମା’ କହିଛନ୍ତି ଯେ ମୋତେ ଏ ଭଳି ପରାମର୍ଶ ଦେବାକୁ ଇନ୍ଦିରା ଜୟସିଂହ କିଏ? ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶବାସୀ ଚାହୁଁଥିବା ବେଳେ କେବଳ ତାଙ୍କରି ଭଳି ଲୋକମାନଙ୍କ ପାଇଁ ଦୁଷ୍କର୍ମ ପୀଡ଼ିତାମାନେ ନ୍ୟାୟ ପାଉ ନାହାନ୍ତି ବୋଲି କହିଛନ୍ତି।
ଏଥିସହ ବିଗତ ବର୍ଷରେ ମୁଁ ତାଙ୍କୁ ଅନେକ ଥର ସୁପ୍ରିମକୋର୍ଟରେ ଭେଟିଛି। ଦିନେ ହେଲେ ସେ ମୋ ଭଲମନ୍ଦ ପଚାରି ନାହାନ୍ତି। ଆଉ ଆଜି ସେ ଦୋଷୀମାନଙ୍କୁ କ୍ଷମା ଦେବା ପାଇଁ କହୁଛନ୍ତି। ଦୁଷ୍କର୍ମକାରୀମାନଙ୍କୁ ସହାୟତା କରି ତାଙ୍କଭଳି ଲୋକେ ଜୀବିକା ନିର୍ବାହ କରୁଛନ୍ତି ବୋଲି ନିର୍ଭୟାଙ୍କ ମାଆ କହିଛନ୍ତି।

ଆସନ୍ତା ଜାନୁଆରି ୨୨ରେ ଦୁଷ୍କର୍ମ କାରୀଙ୍କୁ ଫାଶୀ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ତାହା ବର୍ତ୍ତମାନ ଫେବୃଆରୀ ୧କୁ ଘୁଞ୍ଚି ଯାଇଛି। ଏହାକୁ ନେଇ ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଥିବା କଥା ଆଶା ଦେବୀ କହିଛନ୍ତି। ଶନିବାର ନିର୍ଭାୟା ଦୋଷୀମାନଙ୍କୁ କ୍ଷମା କରିଦେବାକୁ ବରିଷ୍ଠ ଆଡ୍‌ଭୋକେଟ୍‌ ଇନ୍ଦିରା ଜୟସିଂହ ଆଶା ଦେବୀଙ୍କୁ ଉପଦେଶ ଦେଇଥିଲେ। ନଳିନୀଙ୍କୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ କହି ସେ ଆଶା ଦେବୀଙ୍କୁ ଶୁକ୍ରବାର ରାତିରେ ଟୁଇଟ୍‌ କରି ଅନୁରୋଧ କରିଛନ୍ତି। ଆଶା ଦେବୀଙ୍କ ଦୁଃଖକୁ ମୁଁ ପୂର୍ଣ୍ଣରୂପେ ଅନୁଭବ କରିପାରୁଥିବାରୁ, ମୃତ୍ୟୁଦଣ୍ଡ ନ ମିଳୁ କହି ନଳିନୀକୁ କ୍ଷମା ଦେଇଥିବା ସୋନିଆ ଗାନ୍ଧୀଙ୍କ ଦୃଷ୍ଟାନ୍ତ ଅନୁସରଣ କରିବାକୁ ନିବେଦନ କରୁଛି। ଆମେ ଆପଣଙ୍କୁ ସମର୍ଥନ କରୁଛୁ, କିନ୍ତୁ ମୃତ୍ୟୁଦଣ୍ଡକୁ ବିରୋଧ କରୁଛୁ ବୋଲି କହିଛନ୍ତି।

୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ନଳିନୀଙ୍କୁ ଗିରଫ କରାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏ ନେଇ ଆଶା ଦେବୀ ଲୋକମାନେ ରାଜନୈତିକ ଫାଇଦା ନିମନ୍ତେ ମୋ ଝିଅର ମୃତ୍ୟୁଘଟଣାକୁ ନେଇ ଖେଳ ଖେଳୁଛନ୍ତି ବୋଲି କହିଛନ୍ତି। ତେବେ ଦୋଷୀମାନେ ଯେଉଁ ପର୍ଯ୍ୟନ୍ତ ଫାଶୀ ନ ପାଇଛନ୍ତି ମୋ ମନରେ ଶାନ୍ତି ନାହିଁ ବୋଲି କହିଛନ୍ତି।