ଅତି ଭୟଙ୍କର ରୂପ ନେଲା ସାମୁଦ୍ରିକ ଝଡ ବୁଲବୁଲ, ୧୦ ସକାଳେ ବାଂଲା-ପଶ୍ଚିମବଙ୍ଗ ମଧ୍ୟରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର ଆଣ୍ଡାମାନରେ ସୃଷ୍ଟ ଡିପ୍ରେସନ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଭୟଙ୍କର ସାମୁଦ୍ରିକ ଝଡ)ରେ ପରିଣତ ହୋଇ କ୍ରମଶଃ ଉତ୍ତର ଦିଗରେ ଗତି କରୁଛି । ଆଗାମୀ ୬-୯ ଘଣ୍ଟା ମଧ୍ୟରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ(ଅତି ଭୟଙ୍କର ସାମୁଦ୍ରିକ ଝଡ)ର ରୂପ ନେଇ ଉତ୍ତର ପୂର୍ବ ତଥା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରିବ । ଆସନ୍ତା ୧୦ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲା ମଧ୍ୟରେ ଯେକୌଣସି ସ୍ଥାନରେ ପିଟି ହେବ ବୋଲି ଆଇଏମଡି ପୂର୍ବନୁମାନ କରିଛି ।

ତେବେ ସ୍ଥଳ ଭାଗ ଛୁଇଁବା ପୂୂର୍ବରୁ ସମୁଦ୍ର ମଧ୍ୟରେ ହିଁ ବୁଲବୁଲ ବିଲୀନ ତଥା ଦୁର୍ବଳ ହେବ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଇୁଲବୁଲ ବର୍ତ୍ତମାନ ପାରାଦ୍ୱୀପ ଠାରୁ ୩୮୦ କିମି ଦୂରରେ ରହିଛି । ଓଡିଶା ଉପରେ ଏହାର ଆଂଶିକ ପ୍ରଭାବ ରହିବ । ଏହାର ପ୍ରଭାବରେ ଆଜି(ଶୁକ୍ରବାର) ସନ୍ଧ୍ୟାରୁ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ (୬୦-୭୦ ମିମି) ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ଆଜି ସକାଳରୁ ମଧ୍ୟାହ୍ନ ପର୍ୟ୍ୟନ୍ତ ସାମୟିକ ବର୍ଷା ହେବ ।

୯ ତାରିଖ (ଶନିବାର) ସକାଳୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବର୍ଷା ସହିତ ପବନ ହେବ । ପବନରେ ବେଗ ଘଣ୍ଟା ପ୍ରତି ୫୦ରୁ ୫୫କିମି ରହିବ । କିନ୍ତୁ ୯ ତାରିଖ ସନ୍ଧ୍ୟା ପବନର ବେଗ ବୃଦ୍ଧି ପାଇଁ ଘଣ୍ଟା ପ୍ରତି ୭୦-୮୦ କିମି ରହିବ । ସେହି ସମୟରେ ବର୍ଷାର ପରିମାଣ ୧୦୦-୧୨୫ ମିମି ବର୍ଷା ହେବାର ପୂର୍ବନୁମାନ କରିଛି ଆଇଏମଡି । ଏଥିରେ କଚ୍ଚା ଘର, ବିଦ୍ୟୁତ ଖୁଣ୍ଟ, ଧାନ ଚାଷ କ୍ଷତିଗ୍ରସ୍ତ ହେବ ।

ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ପୁରୀ, ଯାଜପୁର, ଖୋଦ୍ଧା, ବାଲେଶ୍ୱର ଓ ବିଶେଷକରି ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବ । ଏ ନେଇ ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । । ସମୁଦ୍ର ଅଶାନ୍ତ ରହିବ । ଏନେଇ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି ।