ଭୁବନେଶ୍ୱର,ଏନ୍ଏନ୍ଏସ୍ : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪ହଜାର ୬୫୩ କଳାକାରଙ୍କୁ ମାର୍ଚ୍ଚଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ୪ମାସର ପେନସନ୍ ଆଗୁଆ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସର୍ବମୋଟ ୧୬କୋଟି ୬୩ଲକ୍ଷ ୩୪ହଜାର ୪ଶହ ଟଙ୍କାର ଆବଣ୍ଟନ ପତ୍ର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି। ବିଶ୍ୱରେ ସମ୍ପ୍ରତି ଦେଖାଦେଇଥିବା ମହାମାରୀ କୋଭିଡ୍-୧୯ ଭୂତାଣୁ ସଂକ୍ରମଣଜନିତ ଭୟାବହତାକୁ ନେଇ ଦେଶରେ ଲକଡାଉନ୍ ଅବସ୍ଥା ସୃଷ୍ଟି ହୋଇଥିବାରୁ ଦୁଃସ୍ଥ କଳାକାରମାନଙ୍କୁ ସହାୟତା ସ୍ୱରୂପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି ପେନସନ୍ ବାବଦରେ ମାସକୁ ୧୨ଶହ ଟଙ୍କା ହିସାବରେ ୪ମାସ ପାଇଁ ୪ହଜାର ୮ଶହ ଟଙ୍କା ଏକାକାଳିନ ଚଳିତମାସ ୧୫ତାରିଖ ମଧ୍ୟରେ ସମ୍ପୃକ୍ତ କଳାକାରମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ଇ-ଟ୍ରାନ୍ସଫର୍ ଜରିଆରେ ପୈଠ କରିବାକୁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ନିୟମ-୮(୫) ପ୍ରକାରେ ମାର୍ଚ୍ଚ ମାସରେ କଳାକାରମାନେ ନିଜ ସପକ୍ଷରେ କରିବାକୁ ଥିବା ଜୀବିତ ପ୍ରମାଣପତ୍ର ଦାଖଲକୁ ମଧ୍ୟ ଛାଡ଼ କରାଯାଇଛି। କଳାକାର ପେନସନ୍ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ନିର୍ଦ୍ଧାରିତ ସମୟରେ ଭତ୍ତା ବଣ୍ଟନ ରିପୋର୍ଟ ଇ-ମେଲ ଓ ହ୍ୱାଟ୍ସଆପ୍ ମାଧ୍ୟମରେ ବିଭାଗକୁ ତୁରନ୍ତ ପଠାଇବାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।