କଳାରେ ସାମାଜିକ ବାର୍ତ୍ତା ଦେଉଛନ୍ତି ପ୍ରତିକା, ବର୍ଜ୍ୟବସ୍ତୁ ଗୁଡ଼ିକୁ ଉପଯୋଗ କରି ସୌନ୍ଦର୍ଯ୍ୟ ବସ୍ତୁରେ ପରିଣତ କରିବା ଲକ୍ଷ୍ୟ
ଭୁବନେଶ୍ୱର,ଏନ୍ଏନ୍ଏସ୍: କାର୍ତ୍ତିକ ମାସ ଆସିଲେ ତୁଳସୀ ଚଉରାମୂଳରେ ମୁରୁଜ ପକାଇବା ପରମ୍ପରା ରହିଛି। କିଏ କେତେପ୍ରକାର ବିଭିନ୍ନ ପ୍ରକାର ଝୋଟି, ଚିତା ପକାଇଥାନ୍ତି। ତେବେ ପ୍ରତିକା ପ୍ରିୟଦର୍ଶିନୀ ସବୁବେଳେ କିଛି ନିଆରା କରିବାର ପ୍ରୟାସ କରିଥାନ୍ତି। ତାଙ୍କ ରଙ୍ଗୋଲିରେ ସବୁବେଳେ ଥାଏ କିଛି ସାମାଜିକ ବାର୍ତ୍ତା, ଯଥା ଜଳର ସଦୁପଯୋଗ, ବୃକ୍ଷରୋପଣ, ବାୟୁ ପ୍ରଦୂଷଣ ରୋକିବା, ଅଳିଆ ଡ଼ବାର ବ୍ୟବହାର ଆଦି ବାର୍ତ୍ତା ସେ ତାଙ୍କ ମୁରୁଜରେ ଦେଇଥାନ୍ତି। କରୋନା କାଳରେ ମାସ୍କ ପରିଧାନର ସଠିକ୍ ଶୈଳୀ ସହ ଅନ୍ୟାନ୍ୟ ସତର୍କତାର ସୂଚନା ସେ ତାଙ୍କ କଳାକୃତି ମାଧ୍ୟମରେ ଦେଇଛନ୍ତି।
ବର୍ତ୍ତମାନ କଟକ ଜୋବ୍ରାସ୍ଥିତ ମହ୍ଲାସାହିରେ ରହୁଥିବା ପ୍ରତିକା ପେଶାରେ ଜଣେ ସାମ୍ବାଦିକା। ଚିତ୍ର ଓ ହସ୍ତକଳାପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି। ମାତ୍ର ୩ ବର୍ଷ ବୟସରୁ ପିତାଙ୍କ ଠାରୁ ଚିତ୍ର ଆଙ୍କିବା ଶିଖିଥିଲେ ପ୍ରତିକା। ପିଲାଦିନରୁ ଭେଣ୍ଡୀ, କଲରା, ଆଳୁ ଓ ବିଭିନ୍ନ ପ୍ରକାର ପତ୍ରର ରଙ୍ଗ ବ୍ୟବହାର କରି ସୁନ୍ଦର ସୁନ୍ଦର କଳାକୃତି ପ୍ରସ୍ତୁତ କରିଛନ୍ତି। ତାଙ୍କର ଏହି ଅଭ୍ୟାସ ଏକ ପ୍ରକାର ନିଶାରେ ପରିଣତ ହୋଇଛି। ପ୍ରତିଦିନ ନିଜର ବ୍ୟସ୍ତବହୁଳ ଜୀବନରୁ ଘଣ୍ଟାଏ ସମୟ ବାହାର କରି ସେ ଚିତ୍ରକଳା ହେଉ ବା ହସ୍ତକଳାରେ ଲାଗିପଡ଼ିଥାନ୍ତି। ଅଦରକାରୀ ବର୍ଜ୍ୟବସ୍ତୁକୁ ସେ ତାଙ୍କ ହାତ ସ୍ପର୍ଶରେ ଏମିତି ଚମକାଇଥାନ୍ତି ଯାହାକୁ ଜଣେ ଦେଖିଲେ ଆଖି ଫେରାଇନେଇପାରିବ ନାହିଁ। ସେହିପରି ରଙ୍ଗତୂଳୀ ଧରି ସମାଜକୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଥାନ୍ତି ପ୍ରତିକା। ସମ୍ପର୍କର ମୂଲ୍ୟବୋଧ ଠାରୁ ଆରମ୍ଭ କରି ସମାଜରେ ଦିନକୁ ଦିନ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ସେ ତାଙ୍କ ଚିତ୍ରକଳା ମାଧ୍ୟମରେ ଦର୍ଶାଇଥାନ୍ତି।
