ମାଲକାନଗିରି,ଏନ୍ଏନ୍ଏସ୍ : ଆଦିବାସୀଙ୍କ ନାମରେ ନକଲି ଭାଗଚାଷୀ ନଥିପତ୍ର ପ୍ରସ୍ତୁତି କରିଥିବା ଅଭିଯୋଗରେ ଶିଖପାଲ୍ଲୀ ଲ୍ୟାମ୍ପସ ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କୁ ଆଜି ମାଲକାନଗିରି ପୋଲିସ୍ ଗିରଫ କରି କୋର୍ଟ ଚଲାଣ କରିଛି। ଏଥିରେ ସଂପୃକ୍ତ ବେପାରୀ ଏବଂ ଅନ୍ୟ କର୍ମଚାରୀ ଫେରାର ଥିବା ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି। ଫେରାର ଥିବା ଅନ୍ୟ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ନାଗ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମାଟାପାକା ଗ୍ରାମ ପଂଚାୟତର ମାଟାପାକା, ନାମକୋଣ୍ଡା, କମଳାପଦର, କୋୟାଗିରି, କତାମାଟେରୁ, ଆକରପାଲ୍ଲୀ, ରାମପଦର ଗ୍ରାମର ପ୍ରାୟ ୨୦୦ରୁ ଉର୍ଦ୍ଦ ଆଦିବାସୀ ଚାଷୀଙ୍କ ଜମି ଭାଗ ଚାଷ କରିଥିବା ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ତଣ୍ଡାପାଲ୍ଲୀ ମଣ୍ଡିରେ ବିକ୍ରି ହେଉଥିବା ଜଣାପଡ଼ିବା ପରେ ନିତିଦିନରେ ଏଥିଦେଇ ଖବର ପ୍ରକାଶିତ ହୋଇଥିଲା। କୌଣସି ଜମି ମାଲିକ ସେମାନଙ୍କ ଜମି ଭାଗଚାଷୀଙ୍କୁ ଚାଷ କରିବାକୁ ଜମି ଦେଇନଥିଲେ। କିନ୍ତୁ ଭାଗଚାଷୀ ଦର୍ଶାଇ ଦଲାଲ ଓ ବ୍ୟବସାୟୀମାନେ ପ୍ରକୃତ ଚାଷୀଙ୍କ ଜମିର ପଟ୍ଟା ଅନଲାଇନରେ ପଞ୍ଜିକୃତ କରି ଟୋକେନ ମାଧ୍ୟମରେ ଧାନ ବିକ୍ରି କରିଥିଲେ। ଫଳରେ ଅମଳ ଧାନ ପ୍ରକୃତ ଚାଷୀ ବିକ୍ରୟ ପାଇଁ ପଞ୍ଜିକରଣ କରିନପାରି ବିକ୍ରି କରିପାରିନଥିବା ଗ୍ରାମବାସୀ ଓ ସ୍ଥାନୀୟ ସରପଂଚ ଅଭିଯୋଗ କରିଥିଲେ।
କେବଳ ମାଟାପାକା ପଂଚାୟତ ନୁହେଁ ମାଲକାନଗିରି ଜିଲ୍ଲାର ମାଲକାନଗିରି, କାଲିମେଳା, ପଡିଆ, କୋରୁକୋଣ୍ଡା, ଚିତ୍ରକୋଣ୍ଡା ବ୍ଲକର ଅନେକ ଆଦିବାସୀ ଚାଷୀଙ୍କ ଜମିକୁ ଏହିପରି ଭାଗିଚାଷୀ ଦର୍ଶାଇ ଦଲାଲମାନେ ଧାନ ବିକ୍ରି କରିଥିଲେ। ଫଳରେ ଆଦିବାସୀ ଚାଷୀମାନଙ୍କ ନାମରେ ରେଜିଷ୍ଟ୍ରସନ ହେଇପାରୁ ନଥିବାରୁ ଅନେକ ଚାଷୀ ଦଲାଲମାନଙ୍କୁ କମଦରରେ ଧାନବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। ଏଥିନେଇ ମାଟାପାକା ସରପଂଚ ବିନାୟକ ମାଡକାମି ଏବଂ ଅନ୍ୟ ଚାଷୀମାନେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତ ୨୦୧୯ ମସିହା ଡିସେମ୍ବର ୦୯ ତରିଖରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ମାଲକାନଗିରି ଥାନାରେ ମଧ୍ୟ ଏ ସମ୍ବନ୍ଧରେ ଏତଲା ଦେଇଥିଲେ। କିନ୍ତୁ ଆସାମୀ ମାନେ ଫେରାର ଥିବାରୁ ଏଥିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବାରେ ବିଳମ୍ବ ହୋଇଥିଲା। ଆଜି ନକଲି ନଥିପତ୍ର ପ୍ରସ୍ତୁତ କରିଥିବା ଶିଖପାଲ୍ଲୀ ନି ର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କୁ ମାଲକାନଗିରି ଥାନା ରେ ଏକ ମାମଲା ରଜୁକରାଯାଇ ଗିରଫ କରି କୋର୍ଟ ଚଲାଣ କରା ଯାଇଛି।