ଦୁଇ ନାବାଳିକା ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଦୁଇଜଣ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ମଙ୍ଗଳବାର ରାଇକିଆ ପୁଲିସ ସୁନୀଲ ଦିଗାଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ଫିରିଙ୍ଗିଆ ବ୍ଲକର ପବିଙ୍ଗିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୁନୀଲ ଦୁଇବର୍ଷ ପୂର୍ବେ ରାଇକିଆ ଅଞ୍ଚଳରେ ଏକ ରାସ୍ତା ନିର୍ମାଣକାରୀ ସଂସ୍ଥାରେ ଡ଼୍ରାଇଭର ଭାବେ କାର୍ଯ୍ୟକରି ଆସୁଥିଲା। ଏହି ସମୟରେ ମଣ୍ଡାକିଆ ନିକଟ ଗାନ୍ଦ୍ରିଙ୍ଗିଆ ଗ୍ରାମର ଜଣେ ନାବଳିକା ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଉକ୍ତ ନାବାଳିକାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସୁନୀଲ ଶାରୀରିକ ସମ୍ପର୍କ ରଖିବା ସହ ଫୁଲବାଣୀ ଅଞ୍ଚଳରେ ମଧ୍ୟ କିଛିଦିନ ନେଇ ରଖିଥିଲା। ଏନେଇ ନାବାଳିକାର ବାପା ରାଇକିଆ ଥାନାରେ ଅଭିଯୋଗ କରିବା ପରେ ନାବଳିକାକୁ ଉଦ୍ଧାର କରାଯାଇଥିଲା। ସୁନୀଲ କୌଶଳ କ୍ରମେ ଫେରାର ହୋଇଯାଇଥିଲା।

ଅନୁରୂପ ଭାବେ ସେହି ବାକିଙ୍ଗିଆ ଅଞ୍ଚଳର ଅନ୍ୟଜଣେ ନାବାଳିକାର ବାପା ମଧ୍ୟ ସୁନୀଲ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଚଳିତ ସେପ୍ଟେମ୍ବର ମାସ ୩ ତାରିଖରେ ରାଇକିଆ ଥାନାରେ ତାଙ୍କ ନାବଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଦୁଇ ପୀଡ଼ିତାଙ୍କ ବୟାନ ପୁଲିସ ରେକର୍ଡ କରିବା ସହ ଅଭିଯୁକ୍ତ ସୁନିଲକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଖବରଦାତା ସମ୍ମିଳନୀରେ ଜି.ଉଦୟଗିରି ଏସଡିିପିଓ ଜୟକୃର୍ଷ୍ଣ ବେହେରା ଏବଂ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସୂଚନା ଦେଇଛନ୍ତି।