ହରିଣ ମାଂସ ଜବତ : ଶିକାରୀ ଗିରଫ

କେନ୍ଦ୍ରାପଡ଼ା, ମହାକାଳପଡ଼ା, ଏନ୍ଏନ୍ଏସ୍ : କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ବ୍ଲକ ଓ ଜମ୍ବୁ ରେଞ୍ଜ ଅଧୀନ କାଂସାରଡ଼ିଆ ସଂରକ୍ଷିତ ଜଙ୍ଗଲରୁ ମଙ୍ଗଳବାର ହରିଣ ଶିକାର କରି ଡଙ୍ଗାରେ ମାଂସ ନେଉଥିବା ବେଳେ ଜଣେ ଶିକାରୀକୁ ବନ ବିଭାଗ ଅଧିକାରୀମାନେ ଗିରଫ କରିଛନ୍ତି। ଏଥି ସହିତ ୧୦ କିଗ୍ରା ହରିଣ ମାଂସକୁ ମଧ୍ୟ ଜବତ କରାଯାଇଛି। ତେବେ ଘନକୁହୁଡ଼ି କାରଣରୁ ଅନ୍ୟ ଦୁଇଜଣ ଶିକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଭିତରକନିକା ସଂରକ୍ଷିତ ଜଙ୍ଗଲ ସମେତ ଏହାର ନିକଟବର୍ତ୍ତୀ ଜମ୍ବୁ ରେଞ୍ଜ ଅଧୀନ କାଂସାରଡ଼ିଆ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗଳିଆ ନଦୀରେ ଏକ ଡଙ୍ଗା କୂଳରେ ଲାଗିଥିବାବେଳେ ଏଥିରେ ୩ଜଣ ଲୋକ ସନ୍ଦେହଜନକ ଅବସ୍ଥାରେ ଥିବା ଦେଖିଥିଲେ। ତେବେ ବନବିଭାଗର ବୋଟ ଏହି ଡଙ୍ଗାର ନିକଟତର ହେବା ବେଳେ ଏଥିରୁ ହଠାତ୍ ଦୁଇଜଣ ଶିକାରୀ କୂଳକୁ ଡେଇଁ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। ତେବେ ଡଙ୍ଗାରେ ଥିବା ଶିକାରୀ ବତିଘର ଗ୍ରାମର ସୁନୀଲ ପରମାଣିକକୁ ବନବିଭାଗ କର୍ମଚାରୀମାନେ କାବୁ କରିନେଇଥିଲେ। ଡଙ୍ଗାରୁ ୧୦ କିଗ୍ରା ହରିଣ ମାଂସ, ୮ ଗୋଟି ଫାଶ, ୨ଟି ମାଂସକଟା କଟୁରିକୁ ଜବତ କରାଯାଇଥିବା ଜମ୍ବୁ ରେଞ୍ଜର ସାହାଜୀ ଚରଣ ବିଶ୍ୱାଳଙ୍କ ଠାରୁ ସୂଚନା ମିଳିଛି।