ଫେସ ବୁକରେ ବ୍ଲାକମେଲ କରି ଯୁବକ ଗିରଫ

ଝାରସୁଗୁଡା,ଏନ୍ଏନ୍ଏସ୍: ଫେସବୁକରେ ଫେକ ଆଇଡି ଖୋଲି ଜଣେ ବିବାହିତା ମହିଳାଙ୍କୁ ବ୍ଲାକମେଲ କରିବା ଅଭିଯୋଗରେ ଗୁରୁବାର ବଡମାଲ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଯୁବକ ନିକଟରୁ ୩ଟି ମୋବାଇଲ ଫୋନ ଏବଂ ଆଇଡି କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ଢେଙ୍କାନାଳ ଫାଟାଲ ଗ୍ରାମର ସୋମ୍ୟଜିତ ସେଠି(ଦିପୁ) ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅଂଚଳର ଜଣେ ବିବାହିତା ମହିଳାଙ୍କ ସହ ଦୀପୁ ଫେସବୁକରେ ବନ୍ଧୁତା ସ୍ଥାପନ କରିଥିଲେ। ଧୀରେ ଧୀରେ ଚାଟିଙ୍ଗ ଓ ପରେ ପ୍ରେମର ଜାଳରେ ଫସାଇ ମହିଳାଙ୍କୁ ଫଟୋ ମାଗିଥିଲେ। ମହିଳା ଜଣକ ଦୀପୁକୁ ବିଶ୍ୱାସ କରି ଫଟୋ ଦେଲା ପରେ ଦୀପୁ ଏହାକୁ ଏଡିଟିଙ୍ଗ କରି ଅଶ୍ଲିଳ ରୁପ ଦେଇଥିଲା। ଏହାପରେ ମହିଳାଙ୍କୁ ବ୍ଲାକମେଲ କରିବା ସହ ତାଙ୍କୁ ବିବାହ କରିବା ପାଇଁ ଢେଙ୍କାନାଳ ଆସିବାକୁ ଧମକ ଦେଇଥିଲା।

ମହିଳା ଜଣକ ଦୀପୁ କଥାରେ ରାଜି ନହେବାରୁ ତାଙ୍କ ସ୍ୱାମୀଙ୍କ ନିକଟକୁ ଦୀପୁ ଅଶ୍ଳିଳ ଫଟୋ ପଠାଇଥିଲା। ଏସମ୍ପର୍କରେ ମହିଳାଙ୍କ ସ୍ୱାମୀ ବଡମାଲ ଥାନାରେ ଅଭିଯୋଗ କଲାପରେ ବଡମାଲ ପୁଲିସ ସାଇବର କ୍ରାଇମ ଏକ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତକୁ ବେଙ୍ଗଲୋରରୁ ଗିରଫ କରିବାରେ ସଫଳ ହୋଇଥିଲା।