ବଲାଙ୍ଗିର,ଏନ୍ଏନ୍ଏସ୍: ମୋ ସ୍ୱାମୀଙ୍କୁ ଗିରଫ କର, ଦଣ୍ଡ ଦିଅ । ଏହା କୌଣସି ଫିଲ୍ମର ଡାୟଲୋଗ ନୁହେଁ ବରଂ ସ୍ୱାମୀଙ୍କ ପରକୀୟା ପ୍ରୀତିରେ ଅତିଷ୍ଠ ହୋଇପଡ଼ିଥିବା ଜଣେ ପତ୍ନୀର ଆକୁଳ ନିବେଦନ । ସ୍ଥାନୀୟ ଖଦାଲପଡ଼ା ନିବାସୀ ତଥା ଜଣାଶୁଣା ଜମି ବେପାରି ବିକାଶ ଜୈନ ବନ୍ଧୁପତ୍ନୀ ସୁନୀତାକୁ ନେଇ ଫେରାର ମାରିଥିବା ନେଇ ତାଙ୍କ ପତ୍ନୀ ମୁଷ୍କାନ୍ ଥାନାରେ ଏତଲା ଦେଇଛନ୍ତି । ଏହାସହ ଉଭୟଙ୍କୁ ଗିରଫ କରି ଦଣ୍ଡ ଦେବାକୁ ମଧ୍ୟ ଦାବୀ କରିଛନ୍ତି ।
ମିଳିଥିବା ରିପୋର୍ଟ ମୁତାବକ, ଗତ ଏକ ବର୍ଷ ହେବ ସ୍ତ୍ରୀ ଓ ଛୁଆପିଲାକୁ ଛାଡ଼ି ବିକାଶ ବନ୍ଧୁପତ୍ନୀର ପ୍ରେମରେ ପଡ଼ି ତାଙ୍କୁ ବାହା ହେବାରେ ମାତିଛନ୍ତି । ଏହାକୁ ବାରଣ କଲେ ସ୍ତ୍ରୀ ଓ ଛୁଆ ପିଲା ସହ ମାରପିଟ୍ କରୁଛନ୍ତି । କିଛିଦିନ ତଳେ ବିକାଶ ବନ୍ଧୁପତ୍ନୀକୁ ନେଇ ଫେରାର ମାରିଥିଲେ । ଆଉ କିଛି ସମୟ ବାହାରେ ରହିବା ପରେ ଘରକୁ ଫେରି ଏଭଳି ଆଉ କରିବେନି ବୋଲି ପତ୍ନୀଙ୍କୁ ପ୍ରତିଶ୍ରୁତି ଦେବାସହ ଭୁଲ ମାଗିଥିଲେ । ହେଲେ ଉକ୍ତ ଘଟଣାକୁ ୧୫ଦିନ ନ ବିତୁଣୁ ପତ୍ନୀକୁ ଅକଥନୀୟ ଅତ୍ୟାଚାର କରିବା ସହ ହାତ ଭାଙ୍ଗି ଦେଇଥିଲେ । ତେବେ, ଗତ ଗୁରୁବାର ୨୩ ତାରିଖ ଘରୁ ଟଙ୍କା, ସୁନା ଓ ଜମି କାଗଜ ପତ୍ର ନେଇ ବିକାଶ ନିଜ ବନ୍ଧୁପତ୍ନୀଙ୍କ ସହ ପୁଣିଥରେ ଫେରାର ମାରିଥିବା ପତ୍ନୀ ମୁଷ୍କାନ ଅଭିଯୋଗ କରିଛନ୍ତି ।
ଏସମ୍ପର୍କରେ ବନ୍ଧୁ ଅକ୍ଷୟ ରାଉତଙ୍କୁ ପଚରାବାରୁ, ମୋର ସ୍ତ୍ରୀ ସୁନିତା ସହିତ ଆଉ କୌଣସି ସମ୍ପର୍କ ନାହିଁ । ଗତ ଗୁରୁବାରଠାରୁ ଉଭୟ ବିକାଶ ଓ ସୁନିତାଙ୍କର କୌଣସି ଖବର ନାହିଁ ବୋଲି ସେ କହିଛନ୍ତି । ଅନ୍ୟପଟେ, ବିକାଶ ଜୈନ ନିଜ ନମ୍ବର ବନ୍ଦ ରଖିବା ସହ କୌଣସି ବ୍ୟାଙ୍କ ଲେଣଦେଣ କରୁ ନଥିବାରୁ ତାଙ୍କୁ ଖୋଜିବା କଷ୍ଟକର ହୋଇପଡ଼ିଛି । ଏହାସତ୍ୱେ ବଲାଙ୍ଗିର ପୁଲିସ ବିକାଶ ଜୈନକୁ ଖୋଜାଖୋଜି ଜାରି ରଖିଥିବା ଟାଉନ ଥାନା ପକ୍ଷରୁ କୁହାଯାଇଛି । ତେବେ ବିକାଶ ଓ ସୁନିତାଙ୍କୁ ଧରିବା ପରେ ଯାଇ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।