ନୂଆଦିଲ୍ଲୀ,ଏଜେନ୍ସି: ୩ ଦିନିଆ ଲଦାଖ ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ ପରେ ସେ ପ୍ରଥମ ଥର ଲଦାଖ ଗସ୍ତ କରିଛନ୍ତି। ଏହି ୩ ଦିନିଆ ଗସ୍ତରେ ସେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଅନ୍ୟ କିିଛି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ। ସେ ସେଠାରେ ଭାରତୀୟ ସେନାର ଫରଓ୍ବାଡ ପୋଷ୍ଟ ପରିଦର୍ଶନ କରିବେ ବା ଉତ୍ତରାଞ୍ଚଳ କମାଣ୍ଡ ବରିଷ୍ଠ ସେନାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି।
ଗସ୍ତର ପ୍ରଥମ ଦିନରେ ଫରଓ୍ବାର୍ଡ ପୋଷ୍ଟରେ ସେନା ବ୍ୟବହାର କରୁଥିବା ଯୁଦ୍ଧାସ୍ତ୍ର ଓ ଯନ୍ତ୍ରାଂଶ ଯଥା ଭାରତ ପ୍ରସ୍ତୁତ ଯୁଦ୍ଧ ଉପକରଣ ଓ ଯୁଦ୍ଧ ଯାନ ଆଦି ପରିଦର୍ଶନ କରିବେ ଜେନେରାଲ ପାଣ୍ଡେ। ତେବେ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ମଧ୍ୟ ଏହି କ୍ଷେତ୍ରରେ ୮ ମାଉଣ୍ଟେନ ଡିଭିଜନର ନେତୃତ୍ବ ମଧ୍ୟ ନେଉଥିଲେ।
ଗଲଓ୍ବାନ ଉପତ୍ୟକାରେ ସଂଘର୍ଷ ପରେ ପୂର୍ବ-ଲଦାଖ କ୍ଷେତ୍ରର ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ଅଞ୍ଚଳକୁ ସୁରକ୍ଷିତ ରଖିବା ଓ ଚୀନ ସେନାର ଗତିବିଧିକୁ ନିରୀକ୍ଷଣ କରି ମୁକାବିଲା ରଣନୀତି ପ୍ରସ୍ତୁତ କରିବା ବର୍ତ୍ତମାନ ଭାରତୀୟ ସେନା ପାଇଁ ସବୁଠୁ ବଡ ଆହ୍ବାନ ପାଲଟିଛି। ସେହିପରି ଉଭୟ ଦେଶର ସେନା ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ସାମରିକ ଭିତ୍ତିଭୂମି ସୁଦୃଢ କରିବା ସହ ଫୋର୍ସ ମୁତୟନ ମଧ୍ୟ ବଢାଇବାରେ ଲାଗିଛନ୍ତି। ଭାରତୀୟ ସେନା ନିଜ ଭୂଖଣ୍ଡର ସୁରକ୍ଷା ପାଇଁ ସକ୍ଷମ ଓ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ଥଳସେନା ମୁଖ୍ୟ ଦାୟିତ୍ବ ନେବା ବେଳେ ସ୍ପଷ୍ଟ କରିଥିଲେ।