ଭିଜିଲାନ୍ସ ଜାଲରେ ଏଆରଆଇ

କୋରାପୁଟ,ଜୟପୁର,ଏନ୍ଏନ୍ଏସ୍ : ବୋରିଗୁମ୍ମା ତହସିଲ ବେଣାଗାଁ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ ସୁନୀଲ୍ କୁମାର ପାତ୍ର ଏକ ଜମିର ରାଇଟ୍ ଅଫର ରେକର୍ଡସ୍ କପି ଦେବାକୁ ୧୫ଶହ ଟଙ୍କା ଲାଂଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ବୋରିଗୁମ୍ମା ଥାନା ପୁରୁଣା ବୋରିଗୁମ୍ମାର ଅକ୍ଷୟ କୁମାର ପ୍ରଧାନ ଏକ ଜମିର ଆରଓଆର ତାଙ୍କ ସପକ୍ଷରେ ଦେବାକୁ ଆବେଦନ କରିଥିଲେ। ଆରଓଆର ଦେବା ଲାଗି ଏଆରଆଇ ଶ୍ରୀ ପାତ୍ର ତାଙ୍କୁ ୧୫ଶହ ଟଙ୍କା ଲାଂଚ ମାଗିବାରୁ ଶ୍ରୀ ପ୍ରଧାନ କୋରାପୁଟ ଭିଜିଲାନ୍ସ ଡିଭିଜନ୍ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରୀ, ବଙ୍ଗିମ୍ ଚନ୍ଦ୍ର ବୱାଲି, କନେଷ୍ଟବଳ ଟୋନି ସାହୁ, ବଳରାମ ଯାନୀ ଓ ଅନ୍ୟମାନଙ୍କୁ ନେଇ ଗଠିତ ଟିମ୍ ଛପି ରହିଥିବାବେଳେ ଏଆରଆଇ ଲାଂଚ ଟଙ୍କା ନେଲାବେଳେ କାବୁ କରି ନେଇଥିଲେ। ସରକାରୀ ସାକ୍ଷୀଙ୍କ ଉପସ୍ଥିତିରେ ଭିଜିଲାନ୍ସ ଟିମ୍ ଲାଂଚ ଟଙ୍କା ଜବତ କରିବା ସହ ଲାଂଚୁଆ ଏଆରଆଇଙ୍କୁ ଗିରଫ କରିଥିଲା। ପରେ ଏଆରଆଇଙ୍କ ଦୁଇ ହାତ ଓ ସାର୍ଟ ପକେଟ୍ ପାଣିରେ ଧୋଇବା ପରେ କେମିକାଲ୍ ରିଏକ୍ସନ୍ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ଅନ୍ୟପଟେ ଭିଜିଲାନ୍ସ ଟିମ୍ ଏଆରଆଇ ସୁନିଲ୍ ପାତ୍ରଙ୍କ ବୋରିଗୁମ୍ମାସ୍ଥିତ ଭଡ଼ା ଘର ଏବଂ କୋରାପୁଟ ଗାନ୍ଧି ନଗରରେ ଥିବା ନିଜ ଘରେ ଚଢ଼ଉ କରି ଅଧିକ ଅନୁସନ୍ଧାନ କରିଥିବା ଜଣାପଡ଼ିଛି।