ଶାହଙ୍କ ଉପସ୍ଥିତିରେ ମମତା ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ ଜାରି ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକର ଅଧ୍ୟକ୍ଷତା କରୁଛନ୍ତି । ଉକ୍ତ ବୈଠକରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ସିକ୍କିମର ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ପ୍ରତିନିଧି ସାମିଲ ହୋଇଛନ୍ତି । ଏଥିରେ ବିଏସଏଫ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ବୈଠକରେ ସୀମା ସୁରକ୍ଷା ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମମତା ସୀମା ସୁରକ୍ଷା ପକ୍ଷରୁ ସହଯୋଗ ମିଳୁନଥିବା ଅଭିଯୋଗ କରିଥିଲେ । ଏହାପରେ ହିଁ ମମତା ଓ ବିଏସଏଫ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ଆରମ୍ଭ ହୋଇଥିଲା ।
ସୂଚନାଯୋଗ୍ୟ, ଇଷ୍ଟର୍ଣ୍ଣ ଜୋନରେ ଆସୁଥିବା ରାଜ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଏକମାତ୍ର ରାଜ୍ୟ ଯାହାର ସୀମା ବାଙ୍ଗଲାଦେଶ ସହ ମିଶିଥାଏ । ବାଙ୍ଗଲାଦେଶ ତରଫରୁ ପଶ୍ଚିମବଙ୍ଗରେ ବଡ଼ ସଂଖ୍ୟାରେ ଅନୁପ୍ରବେଶ ହୋଇଥାଏ । ତେବେ ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି କେନ୍ଦ୍ର ସରକାର ବିଏସଏଫ ପରିସରକୁ ୧୫ କିମିରୁ ୫୦ କିମି କରିଛନ୍ତି । ଏହାଦ୍ୱାରା ବିଏସଏଫକୁ ଅଧିକ କ୍ଷମତା ମିଳୁଥିବାରୁ ମମତା ଏହାକୁ ବିରୋଧ କରୁଛନ୍ତି ।